ଆଜିଠୁ ସ୍ବାଭାବିକ ହେବ ରେଳ ଚଳାଚଳ

ଭୁବନେଶ୍ୱର,୩୧।୮(ଅଭିଜିତ୍‌ ଦାସ)ପୂର୍ବତଟ ରେଳପଥର ବିଭିନ୍ନ ଷ୍ଟେଶନରେ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଅନେକ ଟ୍ରେନ୍‌ ବାତିଲ ହୋଇଥିଲା। ଏଥିସହ ଭୁବନେଶ୍ୱର-ମଞ୍ଚେଶ୍ୱର ଷ୍ଟେଶନ ମଧ୍ୟରେ ତୃତୀୟ ଲାଇନ୍‌ ଓ ସିଗ୍‌ନାଲ ସିଷ୍ଟମ କାର୍ଯ୍ୟ ଲାଗି ଭୁବନେଶ୍ୱରକୁ ଟ୍ରେନ୍‌ ଚଳାଚଳ ଗୁରୁତର ବାଧାପ୍ରାପ୍ତ ହୋଇଥିଲା। ଫଳରେ ୧୭ ତାରିଖରୁ ୩୦ ତାରିଖ ଯାଏ ଭୁବନେଶ୍ୱର, ବାଣୀବିହାର, ମଞ୍ଚେଶ୍ୱର, ବାରଙ୍ଗ ସମେତ ଅନ୍ୟ କେତେକ ଷ୍ଟେଶନରେ ଯାତ୍ରୀମାନେ ନାନା ହଟହଟା ହୋଇଥିଲେ। ଏବେ ଏହି ତୃତୀୟ ଲାଇନ୍‌ କାମ ଶେଷ ହୋଇଥିବାରୁ ୩୧ ତାରିଖରୁ ଭୁବନେଶ୍ୱର ରେଳ ଷ୍ଟେଶନ ଦେଇ ରେଳ ଚଳାଚଳ ସ୍ବାଭାବିକ ହେବ।
ପୂର୍ବତଟ ରେଳପଥର ସୂଚନା ଅନୁଯାୟୀ, ଖୋର୍ଦ୍ଧା ରୋଡ୍‌-ବାରଙ୍ଗ ୩୫ କି.ମି. ତୃତୀୟ ଲାଇନ ପ୍ରକଳ୍ପର ଭୁବନେଶ୍ୱର-ମଞ୍ଚେଶ୍ୱର ଷ୍ଟେଶନ ମଧ୍ୟରେ ପୂର୍ବରୁ ୨ଟି ଟ୍ରାକ୍‌ରେ ଟ୍ରେନ୍‌ ଚଳାଚଳ କରୁଥିବାବେଳେ ଏବେ ତୃତୀୟ ଟ୍ରାକ୍‌ କାମ ଶେଷ ହୋଇଛି। ଏହାସହ ୬.୫ କି.ମି. ତୃତୀୟ ଟ୍ରାକ୍‌ରେ ସ୍ବୟଂଚାଳିତ ସାଙ୍କେତିକ ପ୍ରଣାଳୀ(ସିଗନାଲ ସିଷ୍ଟମ)ର କାର୍ଯ୍ୟ ମଧ୍ୟ ସରିଛି। ବୁଧବାର ଦକ୍ଷିଣ-ପୂର୍ବ ରେଳ ନିରାପତ୍ତା ଆୟୋଗ(ସିଆରଏସ୍‌) ନବ ନିର୍ମିତ ତୃତୀୟ ଟ୍ରାକ୍‌ରେ ସ୍ବୟଂଚାଳିତ ସିଗ୍‌ନାଲ ସିଷ୍ଟମ ନିରୀକ୍ଷଣ କରିଥିଲେ। ଏଥିସହ ୨ ଷ୍ଟେଶନ ମଧ୍ୟରେ ହାଲୁକା ଇଞ୍ଜିନ ଚଳାଚଳ କରାଯାଇଥିଲା। ତେବେ ସିଆର୍‌ଏସ୍‌ ଅନୁମତି ପାଇବା ପରେ ତୃତୀୟ ଲାଇନ୍‌ରେ ଟ୍ରେନ୍‌ ଚଳାଚଳ କରିବ। ଅନ୍ୟପକ୍ଷରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହେଉଥିଲେ ମଧ୍ୟ ବାତିଲ ହୋଇଥିବା କେତେକ ଟ୍ରେନ୍‌ ମୂଳ ଷ୍ଟେଶନରେ ନ ଥିବାରୁ କେତେକକୁ ଗୁରୁବାର ପାଇଁ ବାତିଲ କରାଯାଇଛି। ଭୁବନେଶ୍ୱର ଷ୍ଟେଶନରୁ ୪ଟି ଟ୍ରେନ୍‌ ଆଂଶିକ ବାତିଲ ହୋଇଥିବାବେଳେ ୧୪ଟି ଟ୍ରେନ୍‌ ବାତିଲ କରାଯାଇଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।