ପଶ୍ଚିମବଙ୍ଗ ଲକ୍‌ଡାଉନ୍‌ ଯୋଗୁ ରେଳସେବା ପ୍ରଭାବିତ

ଭୁବନେଶ୍ୱର,୩।୮(ବ୍ୟୁରୋ): ପଶ୍ଚିମବଙ୍ଗରେ ଲକ୍‌ଡାଉନ ଯୋଗୁ ପୂର୍ବତଟ ରେଳପଥର ଟ୍ରେନ ସେବା ପ୍ରଭାବିତ ହୋଇଛି। ଚଳିତ ମାସରେ ଆଉକିଛି ଅଞ୍ଚଳକୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରାଯାଉଥିବାରୁ ଟ୍ରେନ ସେବା ବାତିଲ, ଆଂଶିକ ବାତିଲ ଓ ରହଣି ପ୍ରତ୍ୟାହାର କରାଯାଇଛି। ଆସନ୍ତା ୫, ୮, ୧୬, ୧୭, ୨୩, ୨୪ ଓ ୩୧ ତାରିଖରେ ୫ଟି ଟ୍ରେନ୍‌ ବାତିଲ ହେବ। ହାଓଡ଼ାରୁ ଛାଡୁଥିବା ହାଓଡ଼ା-ଯଶୋବନ୍ତପୁର ଦୁରନ୍ତୋ ସ୍ପେଶାଲକୁ ୫, ୮, ୧୬ ଓ ୨୩ ତାରିଖରେ ବାତିଲ କରାଯିବ। ଯଶୋବନ୍ତପୁରରୁ ଛାଡୁଥିବା ଯଶୋବନ୍ତପୁର-ହାଓଡ଼ା ଦୁରନ୍ତୋ ସ୍ପେଶାଲ ୭, ୧୦, ୧୬, ୧୮, ୨୩, ୨୫ ଓ ୩୦ ତାରିଖରେ ବାତିଲ ରହିବ। ସିଆଲ୍‌ଦାରୁ ଛାଡୁଥିବା ସିଆଲ୍‌ଦା-ଭୁବନେଶ୍ୱର ଦୂରନ୍ତୋ ସ୍ପେଶାଲ ୩ ତାରିଖ ଓ ଭୁବନେଶ୍ୱରରୁ ଛାଡୁଥିବା ଭୁବନେଶ୍ୱର-ସିଆଲ୍‌ଦା ଦୂରନ୍ତୋ ସ୍ପେଶାଲ ୪ ତାରିଖରେ ବାତିଲ ରହିବ। ସେହିଭଳି ଭୁବନେଶ୍ୱର-ହାଓଡ଼ା-ଭୁବନେଶ୍ୱର ଜନଶତାବ୍ଦୀ ସ୍ପେଶାଲକୁ ୫, ୮, ୧୬, ୧୭, ୨୩, ୨୪ ଓ ୩୧ ତାରିଖରେ ଉଭୟ ଦିଗରୁ ବାତିଲ କରାଯିବ। ଅନ୍ୟପକ୍ଷରେ ସିକନ୍ଦରାବାଦ-ହାଓଡ଼ା ଫଲକ୍‌ନୁମା ସ୍ପେଶାଲ ଏକ୍ସପ୍ରେସ ଆସନ୍ତା ୪, ୭, ୧୫, ୧୬, ୨୨, ୨୩ ଓ ୩୦ ତାରିଖରେ ହାଓଡ଼ା ପରିବର୍ତ୍ତେ ଭୁବନେଶ୍ୱରଠାରେ ଯାତ୍ରା ସମାପ୍ତ କରିବ। ହାଓଡ଼ା-ସିକନ୍ଦରାବାଦ ଫଲକ୍‌ନୁମା ସ୍ପେଶାଲ ୫, ୮, ୧୬, ୧୭, ୨୩, ୨୪ ଓ ୩୧ ତାରିଖରେ ହାଓଡ଼ା ପରିବର୍ତ୍ତେ ଭୁବନେଶ୍ୱରରୁ ଛାଡିବ ଏବଂ ସେହି ତାରିଖଗୁଡିକରେ ଏହା ହାଓଡ଼ାଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବାତିଲ ରହିବ। ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ପେଶଲ ପୁରୁଷୋତ୍ତମ ଏକ୍ସପ୍ରେସ ଓ ନୂଆଦିଲ୍ଲୀ-ଭୁବନେଶ୍ୱର ପୁରୁଷୋତ୍ତମ ଏକ୍ସପ୍ରେସ ୪, ୭, ୧୫, ୧୬, ୨୨, ୨୩ ଓ ୩୦ ତାରିଖରେ ପୁରୁଲିଆ ଓ ହିଜ୍‌ଲୀଠାରେ ରହଣି କରିବ ନାହିଁ। ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ୫, ୮, ୧୬, ୧୭, ୨୩, ୨୪ ଓ ୩୧ ତାରିଖରେ ଏବଂ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ୪, ୭, ୧୫, ୧୬, ୨୨, ୨୩ ଓ ୩୦ ତାରିଖରେ ଉଭୟ ଦିଗରୁ ହିଜ୍‌ଲୀରେ ରହିବନାହିଁ। ସିଆଲ୍‌ଦା(କୋଲକାତା)-ଭୁବନେଶ୍ୱର ଦୂରନ୍ତୋ ଏକ୍ସପ୍ରେସ୍‌ ୧୭, ୨୪ ଓ ୩୧ ତାରିଖରେ ଏବଂ ଭୁବନେଶ୍ୱର-ସିଆଲ୍‌ଦା ଦୂରନ୍ତୋ ଏକ୍ସପ୍ରେସ ୧୫ ଓ ୨୨ ତାରିଖରେ ଉଭୟ ଦିଗରୁ ଖଡ଼ଗପୁରରେ ରହଣି କରିବନାହିଁ ବୋଲି ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

Share