ଭଙ୍ଗା ଦଦରା ସାମଗ୍ରୀରୁ ‘ରାଫେଲ’ ତିଆରି କଲେ ରେଳ କର୍ମଚାରୀ

ପାଟଣା,୧୦।୩: ରେଳ କର୍ମଚାରୀମାନେ ଦେଶରେ ଅଗ୍ରଣୀ ଭୂମିକା ତୁଲାଉଛନ୍ତି। ସମସ୍ତିପୁରର ରେଳକର୍ମଚାରୀ ଏମିତି ଏକ କମାଲ କରି ଦେଖାଇଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି। ଏହି କର୍ମଚାରୀମାନେ ଭଙ୍ଗା ଦଦରା ସାମଗ୍ରୀରୁ ‘ରାଫେଲ’ ଏବଂ ପୃଥ୍ବୀ ମିସାଇଲ ତିଆରି କରିଛନ୍ତି।

ସମସ୍ତପୁରସ୍ଥିତ ରେଳ ଯନ୍ତ୍ରପାତି ତିଆରି କାରଖାନାରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ କଠୋର ପରିଶ୍ରମ କରି ଏହି ରାଫେଲ ତିଆରି କରିଛନ୍ତି। ଏହି କଳାକୃତିକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛି।

ସମସ୍ତିପୁରର ମୁଖ୍ୟ କାରଖାନା ପ୍ରବନ୍ଧକଙ୍କ ମାର୍ଗଦର୍ଶନରେ ପୁରୁଣା ସାମଗ୍ରୀ(ସ୍କ୍ରାପ୍‌)ରୁ ରେଳକର୍ମଚାରୀମାନେ ରାଫେଲ ପରି ଲଢୁଆ ବିମାନ ତିଆରି କରିଛନ୍ତି। ପୃଥ୍ବୀ କ୍ଷେପଣାସ୍ତ୍ରର ମଡେଲ ମଧ୍ୟ ତିଆରି କରିଛନ୍ତି। ପ୍ରାୟ ୫ ଫୁଟ ଲମ୍ବ ଏବଂ ୨୦ କିଲୋଗ୍ରାମ ଓଜର ଏହି ରାଫେଲ ବିମାନ ତିଆରି କରିବାକୁ କର୍ମଚାରୀଙ୍କୁ ୭ ଦିନ ସମୟ ଲାଗିଥିଲା।

କାରଖାନାର ମୁଖ୍ୟ ପ୍ରବନ୍ଧକ ପ୍ରକାଶ କୁହନ୍ତି, କୌଶଳ ବିକାଶ ପରି ରେଳ କର୍ମଚାରୀମାନେ ବେକାର ହୋଇ ପଡ଼ିଥିବା ସାମଗ୍ରୀରେ ଦେଶଭକ୍ତି ସହ ଜଡ଼ିତ କଳାକୃତି ତିଆରି କରିବାରେ ମାହିର ଅଟନ୍ତି। କର୍ମଚାରୀମାନେ ଡ୍ୟୁଟି ସରିବା ପରେ ଏହି କାମରେ ନିଜକୁ ନିୟୋଜିତ କରି ରାଫେଲ ତିଆରି କରୁଥିଲେ।

Share