ସୌଭାଗ୍ୟ ସୁନ୍ଦରରାୟ
ପୂର୍ବତଟ ରେଳପଥର ବାଲେଶ୍ୱର ନିକଟବର୍ତ୍ତୀ ବାହାନଗାଠାରେ ଘଟିଥିବା କରମଣ୍ଡଳ ଟ୍ରେନ୍ ଦୁର୍ଘଟଣାର ଦୁଃସ୍ମୃତି ଦୀର୍ଘଦିନ ଧରି ଜନମାନସରେ ରହିବ। ଗତ ଜୁନ୍ ୩ ତାରିଖରେ ଘଟିଥିବା ଏହି ଦୁର୍ଘଟଣାରେ ୨୯୧ଯାତ୍ରୀ ପ୍ରାଣ ହରାଇଥିବାବେଳେ ବହୁ ଆହତ ହୋଇଛନ୍ତି। କେତେକ ମୃତଦେହ ଚିହ୍ନଟ ହୋଇପାରି ନାହିଁ। ୧୯୯୫ ମସିହା ପରେ ଏହା ହେଉଛି ବଡ଼ ଦୁର୍ଘଟଣା। ଏହା ପୂର୍ବରୁ ୧୯୮୧ ଜୁନ୍ରେ ବିହାରରେ ଏକ ଟ୍ରେନ୍ ଲାଇନଚ୍ୟୁତ ହେବା ଫଳରେ ୭୫୦ରୁ ଅଧିକ ଯାତ୍ରୀ ପ୍ରାଣ ହରାଇଥିଲେ। ଟ୍ରେନ୍ଟି ଲାଇନଚ୍ୟୁତ ହୋଇ ବାଗମତୀ ନଦୀ ଗର୍ଭକୁ ଖସି ପଡ଼ିଥିଲା। ୧୯୯୫ରେ ଫିରୋଜାବାଦଠାରେ ଏକ ରେଳ ଦୁର୍ଘଟଣାରେ ୩୫୮ଯାତ୍ରୀ ପ୍ରାଣ ହରାଇଥିବା ସରକାରୀ ତଥ୍ୟରୁ ଜଣାପଡ଼େ। ତାହାଲେ ବାହାନଗା ଦୁର୍ଘଟଣା ପାଇଁ କାହିଁକି ଏତେ ହୋହଲ୍ଲା। ଏଇଥିପାଇଁ ଯେ ପ୍ରଯୁକ୍ତିର ଶୀର୍ଷ ସୋପାନରେ ଭାରତ ପହଞ୍ଚି ନ ଥିଲେ ମଧ୍ୟ ମଧ୍ୟମ ସ୍ତରରେ ଆସି ପହଞ୍ଚିଛି। ବନ୍ଦେ ଭାରତ ଓ ବୁଲେଟ ଟ୍ରେନ୍ ପରି ଅଧିକ ବେଗଗାମୀ ପ୍ରକଳ୍ପର ପରିକଳ୍ପନା କରିଛି। ଏଭଳି ସମୟରେ କରମଣ୍ଡଳର ହୃଦୟବିଦାରକ ଦୁର୍ଘଟଣାରେ ଯେ କେହି ବ୍ୟକ୍ତି ଆଶ୍ଚର୍ଯ୍ୟପ୍ରକଟ କରିବ। ମନରେ ସନ୍ଦେହ ପ୍ରକାଶ କରିବ ଯେ, ଭାରତ ଅନ୍ତତଃ ପ୍ରଯୁକ୍ତିର ମଧ୍ୟମ ସୋପାନରେ ପହଞ୍ଚିଛି ନା ଏହା ମନଗଢ଼ା କଥା?
ଭାରତୀୟ ରେଲଓ୍ବେ ବିଶ୍ୱର ୩ୟ ବୃହତ୍ତମ ଯାତ୍ରୀ ଓ ମାଲ୍ ପରିବହନକାରୀ ବ୍ୟବସ୍ଥା। ବାର୍ଷିକ ଏହା ପ୍ରାୟ ୮୦ କୋଟି ଯାତ୍ରୀ ପରିବହନ କରିଥାଏ। ଭାରତୀୟ ରେଲଓ୍ବେର ପ୍ରାୟ ୧ ଲକ୍ଷ ୧୪ ହଜାର କିଲୋମିଟର ରେଳଧାରଣାରେ ଦୈନିକ ପ୍ରାୟ ୨୦ହଜାର ରେଳ ଚଳାଚଳ କରିଥାଏ। କିନ୍ତୁ ରେଳମାର୍ଗର ରକ୍ଷଣାବେକ୍ଷଣ ଓ ନବୀକରଣ କାର୍ଯ୍ୟ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଥିବା ବିଷୟ ବାହାନଗା ରେଳ ଦୁର୍ଘଟଣାରୁ ସ୍ପଷ୍ଟ ହେଉଛି। ରେଳ ବଜେଟ ବୃଦ୍ଧି ପାଉଛି। କିନ୍ତୁ ବଜେଟର ଅଧିକାଂଶ ଭାଗ ନୂତନ ରେଳଲାଇନ ବିଛାଇବା, ବିଦ୍ୟୁତୀକରଣ ଆଦି କାର୍ଯ୍ୟରେ ବିନିଯୋଗ ହେଉଥିବା ଜଣାପଡ଼ିଛି। ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ପରିମାଣର ପୁରୁଣା ରେଳଧାରଣା ପରିବର୍ତ୍ତନ ଓ ନବୀକରଣ ପାଇଁ ନିୟମ ରହିଥିଲେ ମଧ୍ୟ ତାହା କଡ଼ାକଡ଼ି ପାଳନ କରାଯାଉ ନାହିଁ। ରେଳଧାରଣା ସହ ସିଗନାଲିଂ ଓ ଅନ୍ୟାନ୍ୟ ସୁରକ୍ଷା ଦିଗ ପ୍ରତି ସେତେଟା ଦୃଷ୍ଟି ଦିଆଯାଉ ନାହିଁ। ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ମୁଖ୍ୟ ଲାଇନରେ ଯାତ୍ରା ପାଇଁ ସଙ୍କେତ ପାଇଲା, କିନ୍ତୁ ପ୍ରବେଶ କରିଗଲା ଲୁପ ଲାଇନରେ। ଏ ତ୍ରୁଟି କିପରି ହେଲା ? ଭାରତର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜଣେ ବୈଷୟିକବିତ୍। ଓଡ଼ିଶାରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇ ରେଳମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏକ ଦକ୍ଷ ତଥା କର୍ମଠ ରେଲଓ୍ବେ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ସେ ପ୍ରାୟ ୧୩୭ ଜଣ କର୍ମଚାରୀଙ୍କୁ ବିଭାଗରୁ ବିଦା କରିଛନ୍ତି। ଏହା ପରେ ମଧ୍ୟ ଭାରତୀୟ ରେଲଓ୍ବେକୁ ସମଗ୍ର ବିଶ୍ୱରେ ଏବେ ନିନ୍ଦିତ ହେବାକୁ ପଡ଼ିଛି। ବିଶ୍ୱର ଦ୍ୱିତୀୟ ବୃହତ୍ତମ ରେଲଓ୍ବେ ଭାବେ ପରିଚିତ ଚାଇନାର ଗଣମାଧ୍ୟମରେ ଭାରତୀୟ ରେଲଓ୍ବେର ନିମ୍ନଗାମୀ ଗତି ସମ୍ପର୍କରେ ପ୍ରଶ୍ନ ଉଠାଯାଇଛି। ଦୁର୍ଘଟଣାର ଦିନକ ପରେ ମନ୍ତ୍ରୀ କହିଲେ ଦୁର୍ଘଟଣାର ମୂଳ କାରଣ ଜଣାପଡ଼ିଛି। ତେବେ କାରଣ ସମ୍ପର୍କରେ ଦେଶବାସୀଙ୍କୁ ଅବଗତ କରିବା ପରିବର୍ତ୍ତେ ଏହାର ଦିନକ ପରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଗଲା। ଅର୍ଥାତ ଦୁର୍ଘଟଣା ପଛରେ କୌଣସି ଷଡ଼ଯନ୍ତ୍ର ବା ଅନ୍ତର୍ଘାତୀ କାର୍ଯ୍ୟର ଦିଗ ସମ୍ପର୍କରେ ଜାଣିବା ପାଇଁ ଏହା କରାଗଲା। ଦେଖିବାକୁ ଗଲେ ଯେଉଁ ପଥରେ କରମଣ୍ଡଳ ଯାତ୍ରା କରୁଥିଲା ତାହା କୌଣସି ଚରମପନ୍ଥୀ, ଉଗ୍ରବାଦୀ ବା ମାଓବାଦୀ ଉପଦ୍ରୁତ ଅଞ୍ଚଳ ନୁହେଁ। ତାହେଲେ ଏ ପ୍ରକାର ଆଶଙ୍କା କରାଯିବାର ଆବଶ୍ୟକତା ଉପୁଜିଲା କାହିଁକି ? ତରବରିଆ ଭାବେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯିବାର ଆବଶ୍ୟକତା ନ ଥିଲା। ୨୦୧୬ରେ ଇନ୍ଦୋର-ପାଟନା ଏକ୍ସପ୍ରେସ କାନପୁରଠାରେ ଲାଇନଚ୍ୟୁତ ହୋଇ ୧୫୦ ଯାତ୍ରୀ ପ୍ରାଣ ହରାଇଥିଲେ। ଏହାର ତଦନ୍ତ ଦାୟିତ୍ୱ ଏନ୍ଆଇଏ ଉପରେ ନ୍ୟସ୍ତ କରାଗଲା। ଏନ୍ଆଇଏ ତଦନ୍ତର ଫଳାଫଳ ଅଦ୍ୟାବଧି ଲୋକଲୋଚନକୁ ଆସିପାରିଲା ନାହିଁ।
ଭାରତରେ ଯେତେ ରେଳ ଦୁର୍ଘଟଣା ଘଟିଛି ସେଥିମଧ୍ୟରୁ ଅଧିକାଂଶ ମନୁଷ୍ୟକୃତ ବୋଲି ଜଣାପଡ଼ିଛି। ରେଳ ସୁରକ୍ଷାରେ ଟ୍ରାକ୍, ସିଗ୍ନାଲ ଓ ଟେଲି ଯୋଗାଯୋଗ ଗୁରୁତ୍ୱପୂର୍ଣ୍ଣ। ଏଗୁଡ଼ିକର ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟି ନ ଦେଇ ଦୀର୍ଘ ଦିନ ହେଲା ନୂଆ ଟ୍ରାକ୍ ବିଛାଇବା ଓ ନୂଆ ରେଳଗାଡ଼ି ଚଳାଇବା ପାଇଁ ଦୃଷ୍ଟି ଦିଆଗଲା। ରେଳର ବେଗ ନିୟନ୍ତ୍ରଣ କରିବା ନିମନ୍ତେ ଟ୍ରେନ କୋଲିଜନ ଆଭଏଡାନ୍ସ ସିଷ୍ଟମ (ଟିସିଏଏସ୍) ରହିଛି। ଚଳିତ ସରକାର ଏହାକୁ କବଚ ନାମରେ ନାମିତ କଲେ। ଏହି ବ୍ୟବସ୍ଥା ଅଦ୍ୟାବଧି ଦେଶର ମାତ୍ର ୧୪୪୫ କିଲୋମିଟର ରେଳପଥରେ ରହିଛି। ଅର୍ଥାତ ୧ ଲକ୍ଷ ୧୨ ହଜାର କିଲୋମିଟର ରେଳପଥ ମୁକୁଳା ପଡ଼ିଛି। କବଚ ସହ ସଂଶ୍ଳିଷ୍ଟ ଏଚ୍ବିଏଲ୍ ପାୱାର ସିଷ୍ଟମର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ଏ.ଜେ.ପ୍ରସାଦଙ୍କ କହିବାନୁଯାୟୀ ଯଦି ତ୍ୱରାନ୍ବିତ ବେଗରେ କାର୍ଯ୍ୟ ହୁଏ ତେବେ ସମସ୍ତ ରେଳପଥରେ କବଚ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପାଇଁ ଅନ୍ତତଃ ୧୫ ବର୍ଷ ଲାଗିବ। କବଚ ବ୍ୟବସ୍ଥା ନିମନ୍ତେ ପ୍ରତି କିଲୋମିଟର ପିଛା ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟ ହୋଇଥାଏ। କରମଣ୍ଡଳ ଦୁର୍ଘଟଣା ପରେ ପରେ ଆଉ କିଛି ରେଳ ଦୁର୍ଘଟଣା ଖବର ମିଳିଲା। ଯଦିଓ ଏଥିରେ କେହି ମୃତାହତ ହୋଇନାହାନ୍ତି , ତଥାପି ଜନ ଆକ୍ରୋଶ ପ୍ରକାଶ ପାଇଲା। କେଉଁଠି ଟ୍ରେନ୍ ବଗିରୁ ଧୂଆଁ ବାହାରିବାର ଖବର ଆସିଲା ତ କେଉଁଠି ଗୋଟିଏ ଟ୍ରାକରେ ୨ଟି ଟ୍ରେନ ଆସିବା ଦେଖାଗଲା। ଗତ କିଛିଦିନ ହେଲା ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ପାଇଁ ରେଲଓ୍ବେ ବ୍ୟସ୍ତ ରହିଆସିଛି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ରାଜ୍ୟରେ ଏହି ଟ୍ରେନ ଚଳାଚଳର ଶୁଭାରମ୍ଭ କରାଯାଉଛି। ଏହାକୁ ଆତ୍ମନିର୍ଭର ଭାରତର ପ୍ରତୀକ ଭାବେ ପ୍ରଦର୍ଶିତ କରାଯାଉଛି। ବନ୍ଦେ ଭାରତ ଟ୍ରେନ୍ର ବେଗ ଘଣ୍ଟା ପିଛା ୧୬୦କିଲୋମିଟର ଧାର୍ଯ୍ୟ କରାଯାଇଛି। ଦୁର୍ଘଟଣାଗ୍ରସ୍ତ କରମଣ୍ଡଳର ଘଣ୍ଟା ପ୍ରତି ବେଗ ଥିଲା ୧୨୮ କିଲୋମିଟର। କରମଣ୍ଡଳ ପରି ଟ୍ରାକରେ ବନ୍ଦେ ଭାରତ ଗଡ଼ିଲେ କି ପ୍ରକାର ସମସ୍ୟା ଭବିଷ୍ୟତରେ ସୃଷ୍ଟି ହେବ ତାହା ବର୍ତ୍ତମାନଠାରୁ ଚିନ୍ତା କରାଯିବାର ବିଷୟ।
ରେଲଓ୍ବେର ବିଭିନ୍ନ ସ୍ତରରେ ଏବେ ୩ ଲକ୍ଷ ପଦବୀ ଖାଲି ପଡ଼ିଛି। ତେଣେ ଚାପଗ୍ରସ୍ତ ହୋଇ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଟ୍ରେନ୍ ଚାଳକଙ୍କ କାର୍ଯ୍ୟ ସମୟ ୯ ଘଣ୍ଟା ହୋଇଥିଲେ ମଧ୍ୟ ସେମାନେ ୧୨ରୁ ୧୫ ଘଣ୍ଟା ଧରି କାର୍ଯ୍ୟ କରୁଛନ୍ତି। ୨୦ ହଜାର ଚାଳକ ପଦବୀ ଖାଲି ପଡ଼ିଛି। ଚାଳକମାନେ ସପ୍ତାହକୁ ୪୦ ଘଣ୍ଟା ବିଶ୍ରାମ ଦାବି କରୁଥିବାବେଳେ ପାଉଛନ୍ତି ମାତ୍ର ୨୨ରୁ ୩୦ ଘଣ୍ଟା। ଫଳରେ ସେମାନେ ନିଦ୍ରାହୀନତା ଓ କ୍ଳାନ୍ତ ଅନୁଭବ କରୁଛନ୍ତି। ଅନ୍ୟ ବୈଷୟିକ କର୍ମଚାରୀଙ୍କ ଅବସ୍ଥା ମଧ୍ୟ ସମାନ। ଏ ପ୍ରକାର ଚାପ ଯୋଗୁ କାର୍ଯ୍ୟରେ ତ୍ରୁଟି ଦେଖାଦେବା ସ୍ବାଭାବିକ। ଏହି ତ୍ରୁଟି ପାଇଁ ସଂପୃକ୍ତ କର୍ମଚାରୀ ପରିବର୍ତ୍ତେ ରେଲଓ୍ବେ କାହିଁକି ଦାୟୀ ରହିବ ନାହିଁ ? ଦେଶରେ ବହୁ ପିଲା ବେରୋଜଗାର ହୋଇ ରହିଥିବାବେଳେ ଲାଭଖୋର ମନୋଭାବ ପାଇଁ ରେଲଓ୍ବେରେ ପଦବୀଗୁଡ଼ିକ ପୂରଣ କରାଯାଉ ନାହିଁ। ଭିତ୍ତିଭୂମି ନ ସଜାଡ଼ି ଅଧିକ ଯାତ୍ରୀ ପରିବହନ, ଅଧିକ ମାଲ୍ ପରିବହନର ରେକର୍ଡ ଜୀବନ ବିନିମୟରେ କରାଯିବା ଉଚିତ୍ ନୁହେଁ ।
ମୋ-୯୪୩୭୨୨୯୨୩୩