Categories: ଜାତୀୟ

ରେଲଓ୍ବେ ବୋର୍ଡରେ କାମ କରୁଥିବା ମହିଳାମାନେ କରିପାରିବେ ବିଭାଗ ପରିବର୍ତ୍ତନ, ଭାରତୀୟ ରେଲଓ୍ବେ ବୋର୍ଡ ଦେବ ବଡ ସୁଯୋଗ

ନୂଆଦିଲ୍ଲୀ,୭।୧୦: ରେଲଓ୍ବେ ମହିଳା ଚାଳକ ଏବଂ ଟ୍ରାକ ରକ୍ଷକମାନଙ୍କ ପାଇଁ ଏକ ଖୁସି ଖବର। ଭାରତୀୟ ରେଲୱେ ବୋର୍ଡ ମହିଳାଙ୍କର ଚାକିରିର ବିଭାଗ ପରିବର୍ତ୍ତନ କରାଇବା ପାଇଁ ଆଲୋଚନା କରୁଛି। ତେବେ ରେଲଓ୍ବେରେ ନିଯୁକ୍ତ ମହିଳାଙ୍କର ଏକକାଳୀନ ବିକଳ୍ପ ଦେବାର ଦାବି ଉପରେ ରେଲଓ୍ବେ ବୋର୍ଡ ନିଷ୍ପତ୍ତି ନେବ।

ରେଲଓ୍ବେ ବୋର୍ଡ ଅକ୍ଟୋବର ୪ରେ ସବୁ ଜୋନକୁ ପଠାଇଥିବା ଚିଠିରେ ନ୍ୟାଶନାଲ ଫେଡେରେସନ ଅଫ ଇଣ୍ଡିଆନ ରେଲୱେମ୍ୟାନ, ମହିଳା ଟ୍ରାକ ରକ୍ଷକ ତଥା ଚାଳକ କର୍ମଚାରୀଙ୍କୁ ସେମାନଙ୍କ ଚାକିରି ବିଭାଗ ପରିବର୍ତ୍ତନ କରିବା ପାଇଁ ବିକଳ୍ପ ଦେବାକୁ ଅନୁରୋଧ କରିଛି।

ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତ, ବୋର୍ଡ ଏହି ଘଟଣାର ଯାଞ୍ଚ କରି ସବୁ ଜୋନ ରେଲଓ୍ବେ ମହିଳା ଟ୍ରାକ ରକ୍ଷକ, ଏଏଲପି ଓ ଅନ୍ୟାନ୍ୟ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସଂଖ୍ୟା ପ୍ରଦାନ କରିବା ସହ ମହିଳା କର୍ମଚାରୀମାନେ କେଉଁ ବିଭାଗରେ ପରିବର୍ତ୍ତନ ପାଇଁ ଅନୁରୋଧ କରିଛନ୍ତି ସେ ପ୍ରସଙ୍ଗରେ ସବିଶେଷ ତଥ୍ୟ ଦେବାକୁ କହିଛି।

ସୂଚନାଯୋଗ୍ୟ, ମହିଳା ଟ୍ରାକ ରକ୍ଷକ ଓ ଏଏଲପି କ୍ଷେତ୍ରରେ କାର୍ଯ୍ୟ କରିବା ଅତ୍ୟନ୍ତ କଷ୍ଟକର ଓ ଅସୁରକ୍ଷିତ ହୋଇଥିବାରୁ ଏପରି ପରିସ୍ଥିତି ଯୋଗୁଁ ମହିଳାମାନେ ସେମାନଙ୍କର ଚାକିରି ବିଭାଗ ପରିବର୍ତ୍ତନ କରିବାକୁ ଚାହାଁନ୍ତି ବୋଲି ଦାବି କରିଥିଲେ। ଏହି ସମ୍ବନ୍ଧୀୟ ଦାବି ବହୁ ବର୍ଷ ଧରି ରେଲୱେ ବୋର୍ଡରେ ବିଚାରାଧୀନ ଅଛି।

Share