Categories: ବାଣିଜ୍ୟ

ରେଲଓ୍ବେ ଆଣିବ ‘ସୁପର ଆପ୍‌’, ଗୋଟିଏ ସ୍ଥାନରେ ମିଳିବ ସମସ୍ତ ସୁବିଧା

ଭୁବନେଶ୍ୱର,୧୨।୪(ଅନୁରାଧା ମହାରଣା): ଭାରତୀୟ ରେଳ ଦେଶର ଗୋଟିଏ କୋଣକୁ ଅନ୍ୟ କୋଣକୁ ସଂଯୋଗ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଗତ କିଛି ବର୍ଷ ମଧ୍ୟରେ ରେଳବାଇ ଟେକ୍ନୋଲୋଜି ମାଧ୍ୟମରେ ଅନେକ ସମସ୍ୟାର ସମାଧାନ ଖୋଜି ପାଇଛି। ବର୍ତ୍ତମାନ ଭାରତୀୟ ରେଳପଥ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଲଗା ଆପ୍‌ ରହିଛି । ଏକାଧିକ ଆପ୍‌ ସମ୍ପର୍କରେ ଅବଗତ ନ ଥିବାରୁ ମାତ୍ର ଯାତ୍ରୀମାନେ ଅସୁବିଧାରେ ପଡ଼ୁଛନ୍ତି। ସେଥିପାଇଁ ଭାରତୀୟ ରେଳପଥ ଏକ ସୁପର ଆପ୍‌ ବିକାଶ କରୁଥିବା ସୂଚନା ମିଳିଛି। ଏହି ଆପ୍‌ ଯାତ୍ରୀଙ୍କୁ ରେଳବାଇର ସମସ୍ତ ସେବା ଗୋଟିଏ ସ୍ଥାନରେ ପ୍ରଦାନ କରିବ।

ଭାରତୀୟ ରେଳପଥର ଏହି ସୁପର ଆପ୍‌ ଟେକ୍ନୋଲୋଜି ହିସାବରେ ବହୁ ଉନ୍ନତ ହେବ ଏବଂ ପ୍ରାୟ ସମସ୍ତ ସେବାକୁ ଗୋଟିଏ ପ୍ଲାଟ୍‌ଫର୍ମରେ ପ୍ରଦାନ ପାଇଁ କାର୍ଯ୍ୟ କରିବ । ଏହା ମାଧ୍ୟମରେ ଯାତ୍ରୀ ଗୋଟିଏ ସ୍ଥାନରେ ଟିକେଟ ବୁକିଂ ଏବଂ ଟ୍ରେନ୍‌ ଟ୍ରାକିଂ ଭଳି ଅନେକ କାର୍ଯ୍ୟ କରିବାକୁ ସମର୍ଥ ହେବେ। ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବରୁ ଏହାକୁ ଆରମ୍ଭ କରିବାକୁ ପ୍ରସ୍ତୁତି ଚାଲିଛି। ଏହା ବ୍ୟତୀତ ଟିକେଟ ଫେରସ୍ତ ପାଇଁ ଭାରତୀୟ ରେଳପଥ ୨୪ ଘଣ୍ଟା ସେବା ଆରମ୍ଭ କରିବାକୁ ଯାଉଛି। ଏହା ଟିକେଟ ବାତିଲର ସେବାକୁ ତ୍ୱରାନ୍ବିତ କରିବ ବୋଲି ଆଶା କରାଯାଉଛି।

ବର୍ତ୍ତମାନ, ଆଇଆର୍‌ସିଟିସି ରେଳ କନେକ୍ଟ ଆପ୍‌ ଭାରତୀୟ ରେଳପଥର ସବୁଠାରୁ ଲୋକପ୍ରିୟ ମୋବାଇଲ ଆପ୍‌ ଭାବେ ପରିଚୟ ପାଇଛି। ପାଖାପାଖି ୧୦ କୋଟି ଲୋକ ଏହି ଆପ୍‌ ଡାଉନଲୋଡ୍‌ କରିଛନ୍ତି। ଏହା ବ୍ୟତୀତ ରେଳ ମଦଦ୍‌, ୟୁଟିଏସ୍‌, ସତର୍କ, ଟିଏମ୍‌ଏସ୍‌ ନିରୀକ୍ଷଣ, ଆଇଆର୍‌ସିଟିସି ଏୟାର ଏବଂ ପୋର୍ଟରିଡ୍‌ ଭଳି ଅନେକ ଆପ୍‌ ମଧ୍ୟ କାମ କରୁଛି। ରେଳପଥ ଏହି ସମସ୍ତ ଆପ୍‌କୁ ଗୋଟିଏ ଆପ୍‌ରେ ସଂଯୋଗ କରିବାକୁ ଚେଷ୍ଟା କରୁଛି। ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନାନୁଯାୟୀ ୪ ଲକ୍ଷରୁ ଅଧିକ ଲୋକ କୋଲକାତା ମେଟ୍ରୋର ମୋବାଇଲ ଆପ୍‌ ବ୍ୟବହାର କରୁଛନ୍ତି। ଏହାକୁ କେନ୍ଦ୍ର ରେଳ ସୂଚନା (ସିଆର୍‌ଆଇଏସ୍‌) ଦ୍ୱାରା ବିକଶିତ କରାଯାଇଛି। ଯାତ୍ରୀମାନେ ଏହାକୁ ବ୍ୟବହାର କରି ଅନେକ ସେବା ପାଇପାରୁଛନ୍ତି।

Share