Categories: ଜାତୀୟ

ବାତ୍ୟା ‘ନିଭାର’ ପାଇଁ ଏହିସବୁ ଟ୍ରେନ୍‌ ବାତିଲ

ଚେନ୍ନାଇ,୨୫ା୧୧: ବାତ୍ୟା ‘ନିଭାର’ଯୋଗୁ ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳବର୍ତ୍ତୀ ଅଞ୍ଚଳରେ ରେଳବାଇ ଅନେକ ଟ୍ରେନ ବାତିଲ କରିଥିବାବେଳେ କିଛି ଟ୍ରେନରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏହି ସାମୁଦ୍ରିକ ଝଡ଼ ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳ ଦେଇ ବୁଧବାର ରାତିରେ ଅତିକ୍ରମ କରିପାରେ।

ପାଣିପାଗ ବିଭାଗ ଅନୁଯାୟୀ, ଏହି ସମୟ ମଧ୍ୟରେ ପବନର ବେଗ ଘଣ୍ଟା ପ୍ରତି ୧୨୦-୧୩୦ କିଲୋମିଟର ହୋଇପାରେ। ଏହା ସହ ୨୬ ନଭେମ୍ବରରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ପାଣିପାଗ ବିଭାଗର ସତର୍କତା ଉପରେ ନଜର ରଖି ଦକ୍ଷିଣ ରେଳବାଇ ଅନେକ ଟ୍ରେନ ବାତିଲ କରିବାକୁ ଘୋଷଣା କରିଛି। ରେଳବାଇ ଟୁଇଟ୍‌ କରି ସୂଚନା ଦେଇଛି ଯେ, ‘ନିଭାର’ ଯୋଗୁ କିଛି ଟ୍ରେନ ସମ୍ପୂର୍ଣ୍ଣ ବାତିଲ ହୋଇଥିବାବେଳେ କିଛି ଟ୍ରେନ ଆଂଶିକ ବାତିଲ ହୋଇଛି।

ସୂଚନା ଅନୁଯାୟୀ, ନଭେମ୍ବର ୨୬ରେ ଟ୍ରେନ ନମ୍ବର ୦୨୬୭୩ ଡ Dr MGR ଚେନ୍ନାଇ ସେଣ୍ଟ୍ରାଲ-କୋଏମ୍ବାଟୁର ସ୍ବତନ୍ତ୍ର ଟ୍ରେନ ସମ୍ପୂର୍ଣ୍ଣ ବାତିଲ ହେବ। ଏହା ବ୍ୟତୀତ ୨୬ ନଭେମ୍ବରରେ ଟ୍ରେନ ନମ୍ବର ୦୨୭୬୦/୦୨୭୫୯, ଟ୍ରେନ ନମ୍ବର ୦୬୦୫୩, ୦୬୦୨୮, ୦୨୮୦୮ ମଧ୍ୟ ବାତିଲ ହେବ।

ବାତିଲ ହୋଇଥିବା ଟ୍ରେନରେ ବୁକ୍‌ ଟିକେଟ ପରିମାଣ ଯାତ୍ରୀମାନଙ୍କୁ ସର୍ତ୍ତ ଅନୁଯାୟୀ ଫେରସ୍ତ କରାଯିବ ବୋଲି ଦକ୍ଷିଣ ରେଳବାଇ କହିଛି। ସେହିପରି ସମ୍ପୂର୍ଣ୍ଣ ବାତିଲ ହୋଇଥିବା ଟ୍ରେନ ପାଇଁ ସମ୍ପୂର୍ଣ୍ଣ ଫେରସ୍ତ ଉପଲବ୍ଧ ହେବ। ଯେଉଁ ଯାତ୍ରୀମାନେ ଇ-ଟିକେଟ ବୁକ୍‌ କରିଥିଲେ ସେମାନେ ସ୍ବୟଂଚାଳିତ ଟଙ୍କା ଫେରି ପାଇବେ। ଯେଉଁମାନେ କାଉଣ୍ଟରରେ ଟିକେଟ କରିଥିଲେ ସେମାନେ ସେହି କାଉଣ୍ଟରରେ ଅଭିଯୋଗ କରିପାରିବେ।

Share