Categories: ଜାତୀୟ

ରେଲ୍‌ୱେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌, ୪ ଲକ୍ଷରେ ବିକ୍ରି ନେଇ ସିବିଆଇର ଖୋଳତାଡ଼

ଲକ୍ଷ୍ନୌ, ୦୯।୦୮: ଗୋଟିଏ ପଟେ ଯୋଗୀ ସରକାର ପ୍ରଶ୍ନପତ୍ର ଲିକ ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିୟମ ପ୍ରଣୟନ କରିବାକୁ ପ୍ରସ୍ତୁତି କରୁଛନ୍ତି ତ ଅନ୍ୟପଟେ ଗୋଟିଏ ପରେ ଗୋଟିଏ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ କମିବାର ନାଁ ନେଉନି । ଅଧିକାରୀଙ୍କ ଟଙ୍କା ଲୋଭ ହେତୁ ସରକାରଙ୍କ ଚେଷ୍ଟା ବିଫଳ ହେଉଛି। ନିକଟରେ ରେଳ ବିଭାଗର ପଦୋନ୍ନତି ପାଇଁ ୩ ବର୍ଷ ତଳେ ହୋଇଥିବା ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଜଣାପଡ଼ିଛି । ଯାହାକୁ ନେଇ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ସିବିଆଇ ଏକ ମାମଲା ରୁଜୁ କରିଛି।

ରେଳ ବୋର୍ଡ ଭିଜିଲାନ୍ସ ବିଭାଗର ଅଭିଯୋଗ ଆଧାରରେ ସିବିଆଇ ଏହି ପଦକ୍ଷେପ ନେଇଛି। ଅଭିଯୋଗ ହୋଇଛି ଯେ ୬ ଅଗଷ୍ଟ ୨୦୨୧ରେ ଅନୁଷ୍ଠିତ ସାଧାରଣ ବିଭାଗ ପରୀକ୍ଷାର ପ୍ରଶ୍ନପତ୍ର ପରୀକ୍ଷା ପୂର୍ବରୁ ପ୍ରଘଟ ହୋଇଥିଲା । ଲକ୍ଷ୍ନୌ ସିବିଆଇର ଦୁର୍ନୀତି ନିବାରଣ ଶାଖା ଏନେଇ ୧୧ ଜଣ ରେଳ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରି ଖୋଳତାଡ଼ କରିଛି । ରେଳବାଇର ଭିଜିଲାନ୍ସ ଅନୁସନ୍ଧାନ ରିପୋର୍ଟ ଆଧାରରେ ଏକ ମାମଲା ରୁଜୁ ହୋଇଛି। ଏହି ପରିପ୍ରେକ୍ଷୀରେ ସିବିଆଇ ରାଜସ୍ଥାନ ଏବଂ ୟୁପିର ୧୧ ଟି ସ୍ଥାନରେ ଚଢ଼ାଉ କରିଛି।

ପ୍ରୟାଗରାଜ, ନୋଏଡା, ଆଲିଗଡ, ମଥୁରା, ଚିତ୍ରକୋଟ, ଜୟପୁର, ଭରତପୁର, କରୌଲି, ଅଲୱାର, ସାୱାଇ ମାଧୋପୁର ଏହାରି ମଧ୍ୟରେ ରହିଛି। ଏହି ଚଢ଼ାଉରେ ସିବିଆଇ ଗୁରୁତ୍ୱପୂର୍ଣ୍ଣ ଦଲିଲ ମଧ୍ୟ ପାଇଛି। ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ଗାଜିଆବାଦ ରେଳ ଷ୍ଟେସନ ନିକଟ ଏକ କୋଠରୀରେ ପ୍ରଶ୍ନର ଉତ୍ତର ପ୍ରସ୍ତୁତ କରି ପରୀକ୍ଷାର୍ଥୀଙ୍କୁ ଦିଆଯାଇଥିଲା । ଏଥିସହ ପ୍ରତ୍ୟେକ ପ୍ରାର୍ଥୀଙ୍କଠାରୁ ୪ ଲକ୍ଷ ଟଙ୍କା ନିଆଯାଇଥିଲା ।

Share