Categories: ବାଣିଜ୍ୟ

ରେଳ ଯାତ୍ରୀ ଭଡା ବଢିବା ସମ୍ଭାବନା

ନୂଆଦିଲ୍ଲୀ,୨୫-୧୨: ଭାରତୀୟ ରେଲଓ୍ବେ ପକ୍ଷରୁ ଚଳିତ ସପ୍ତାହରେ ଯାତ୍ରୀ ଭଡା ବଢାଇବା ନେଇ ସମ୍ଭାବନା ରହିଛି। କିଲୋମିଟର ପିଛା ଏହା ୫ରୁ ୪୦ ପଇସା ମୂଲ୍ୟ ବଢିପାରେ ବୋଲି ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ଯାତ୍ରୀ ଭଡା ବୃଦ୍ଧି ପ୍ରସ୍ତାବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟଠାରୁ ଚଳିତ ବର୍ଷ ନଭେମ୍ବରରେ ମଞ୍ଜୁରୀ ଲାଭ କରିଛି। ଝାଡଖଣ୍ଡ ନିର୍ବାଚନ ଯୋଗୁ ଏହା ଘୋଷଣା ହୋଇ ନ ଥିବା ରିପୋର୍ଟରେ କୁହାଯାଇଛି। ବର୍ତ୍ତମାନ ଅର୍ଥନୈତିକ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ରେଲଓ୍ବେ ରାଜସ୍ବ ଉପରେ ଏହାର ପ୍ରଭାବ ପଡିଛି। ରେଲଓ୍ବେ ରାଜସ୍ବ ବଢାଇବା ଲାଗି ଉଦ୍ୟମ ଜାରି ରଖିଛି। ଏବେ ସଡକ ପରିବହନ କ୍ଷେତ୍ରରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ରହିଛି। ପାସେଞ୍ଜର ସେଗ୍‌ମେଣ୍ଟରେ ଯାତ୍ରୀଭଡା ବୃଦ୍ଧି ଲାଗି ରେଲଓ୍ବେ ଚିନ୍ତା କରୁଛି। ଗତ କିଛି ବର୍ଷ ହେବ ରେଲଓ୍ବେ ଏହାର ଯାତ୍ରୀଭଡାରେ କୌଣସି ପରିବର୍ତ୍ତନ କରିନାହିଁ।
ରେଲଓ୍ବେ ରାଜସ୍ବରେ ବୃଦ୍ଧି ଲାଗି କିଛି ଟ୍ରେନରେ ଫ୍ଲେକ୍ସି ଫେୟାର ସିଷ୍ଟମ ଏବଂ ରିଫଣ୍ଡରେ ପରିବର୍ତ୍ତନ ଆଣିଛି। ଚଳିତ ବର୍ଷ ସେପ୍ଟେମ୍ବରରେ ରେଲଓ୍ବେର ମୋଟ୍‌ ରାଜସ୍ବ ଲଗାତାର ଦ୍ୱିତୀୟ ମାସ ଲାଗି ହ୍ରାସ ଘଟିଛି। ଏଥିରେ ୪.୨% ଖସି ୧୩,୧୬୯ କୋଟି ଟଙ୍କା ରହିଛି। ସେହିଭଳି ଅକ୍ଟୋବର ରାଜସ୍ବରେ ୭.୮% ହ୍ରାସ ହୋଇଥିଲା। ଏପ୍ରିଲ-ଅକ୍ଟୋବର ସମୟରେ ରେଲଓ୍ବେର ରାଜସ୍ବ ହ୍ରାସ ୧୯,୪୧୨ କୋଟି ଟଙ୍କା ରହିଛି। ଏହି ସମୟରେ ମୋଟ ବ୍ୟୟ ୪୦୯୯ କୋଟି ଟଙ୍କା ବୃଦ୍ଧି ଘଟି ୧.୦୧ ଲକ୍ଷ କୋଟି ଟଙ୍କା ରହିଛି। ଏହି ସମୟରେ ୯୭,୨୫୬ କୋଟି ଟଙ୍କା ଖର୍ଚ୍ଚ ଲାଗି ରେଲଓ୍ବେ ଯୋଜନା ରଖିଥିଲା।
ରେଳ ବୋର୍ଡ ପୁନର୍ଗଠନକୁ କ୍ୟାବିନେଟ ମଞ୍ଜୁରୀ
ରେଲଓ୍ବେ ପକ୍ଷରୁ ଏହାର ବୋର୍ଡ ପୁନର୍ଗଠନ ଏବଂ କ୍ୟାଡର ମିଶ୍ରଣକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ରେଳ ବୋର୍ଡରେ ଏବେ ଅଧ୍ୟକ୍ଷଙ୍କ ସମେତ ୫ ସଦସ୍ୟ ରହିବେ। ଏହା ପୂର୍ବରୁ ୮ ସଦସ୍ୟ ବିଶିଷ୍ଟ ରହିଥିଲା। ସେହିଭଳି ବିଭିନ୍ନ କ୍ୟାଡର ପରିବର୍ତ୍ତେ ଏକକ ରେଳ ମ୍ୟାନେଜମେଣ୍ଟ ସିଷ୍ଟମ ପରିସରକୁ ଆଣିବା ଲାଗି ଯୋଜନା ରହିଥିବା ସୂଚନା ରହିଛି। ରେଳ ବୋର୍ଡର ଟ୍ରାଫିକ, ରୋଲିଂ ଷ୍ଟକ, ଟ୍ରାକଶନ ଆଣ୍ଡ ଇଞ୍ଜିନିୟରିଂ ସଦସ୍ୟ ପରିବର୍ତ୍ତେ ନୂଆ କରି ଗଠନ ହୋଇଥିବା ବୋର୍ଡରେ ପରିଚାଳନା, ବାଣିଜ୍ୟ ଉନ୍ନତିକରଣ, ମାନବ ସମ୍ବଳ, ଭିତ୍ତିଭୂମି ଏବଂ ଅର୍ଥ ଭଳି କ୍ଷେତ୍ରରେ ସଦସ୍ୟ ରହିବେ। ରେଲଓ୍ବେରେ ଏବେ ଗୋଟିଏ କ୍ୟାଡର ଭାରତୀୟ ରେଳ ସର୍ଭିସ କାର୍ଯ୍ୟ କରିବ। ଇଲେକ୍ଟ୍ରିକାଲ, ମେକାନିକାଲ, ଟ୍ରାଫିକ ଏବଂ ଇଞ୍ଜିନିୟରିଂ ସମେତ ବିଭିନ୍ନ ବିଭାଗରେ ବର୍ତ୍ତମାନ ୮ ସେବା ରହିଛି। ଏବେଠାରୁ ଏହା ଗୋଟିଏ କ୍ୟାଡରରେ ମିଶ୍ରଣ ହୋଇଥିବା ଜଣାପଡିଛି।

Share