ରେଳବାଇକୁ ୬୦ ହଜାର ଜରିମାନା, ୧୩ ଘଣ୍ଟା ବିଳମ୍ବର ଦଣ୍ଡାଦେଶ…

ଏର୍ନାକୁଲମ,୨୮।୧୦ : ଅକ୍ଟୋବର 28 ରେ, କେରଳର ଏର୍ନାକୁଲମ ଜିଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗ ଦକ୍ଷିଣ ରେଳବାଇକୁ ଟ୍ରେନ ବିଳମ୍ବ ହୋଇଥିବା ନେଇ ଜଣେ ଯାତ୍ରୀଙ୍କୁ ୬୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ଭାରତୀୟ ରେଳବାଇକୁ ୧୩ ଘଣ୍ଟାରୁ ଅଧିକ ବିଳମ୍ବ ହୋଇଥିବା ନେଇ ଯାତ୍ରୀ ଭୋଗିଥିବା ଅସୁବିଧା, ମାନସିକ ଯନ୍ତ୍ରଣା ଏବଂ ଆର୍ଥିକ ସମସ୍ୟା ଲାଗି ଏହି କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଳମ୍ବ ଯୋଗୁ ଟ୍ରେନର ବହୁ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଚେନ୍ନାଇର ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା କାର୍ତ୍ତିକ ମୋହନଙ୍କ ଅଭିଯୋଗର ଉତ୍ତରରେ ଏର୍ନାକୁଲମ ଜିଲା ଉପଭୋକ୍ତା ବିବାଦ ସମାଧାନ କମିଶନ ଅକ୍ଟୋବର ୧୮ ରେ ଏହି ରାୟ ପ୍ରଦାନ କରିଛନ୍ତି। ଅଭିଯୋଗକାରୀ କହିଥିଲେ ଚେନ୍ନାଇରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବା ଆଶାରେ ସେ ଏର୍ନାକୁଲମରୁ ଚେନ୍ନାଇକୁ ୨୨୬୪୦ ଆଲାପୁଝା-ଚେନ୍ନାଇ ଏକ୍ସପ୍ରେସରେ ଟିକେଟ ବୁକ କରିଥିଲେ। ତେବେ ଟ୍ରେନ ୧୩ ଘଣ୍ଟାରୁ ଅଧିକ ସମୟ ବିଳମ୍ବ ହୋଇ କେବଳ ଅଭିଯୋଗକାରୀଙ୍କ ପାଇଁ ନୁହେଁ ବରଂ ଏନଇଇଟି ପରୀକ୍ଷା ଆଶାୟୀଙ୍କ ସମେତ ଟ୍ରେନରେ ଥିବା ବହୁ ଯାତ୍ରୀଙ୍କ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିଥିଲା।

 

ଚେନ୍ନାଇ ବିଭାଗର ଆରାକୋନାମରେ ପୁନଃନିର୍ମାଣ କାର୍ଯ୍ୟ ଯୋଗୁଁ ଟ୍ରେନ ବିଳମ୍ବ ହୋଇଛି ବୋଲି ରେଳବାଇ ଯୁକ୍ତି କରିଥିଲେ। ସମସ୍ତ ସଂରକ୍ଷିତ ଯାତ୍ରୀଙ୍କୁ ଏସଏମଏସ ବିଜ୍ଞପ୍ତି ପଠାଯାଇଛି, ବିଳମ୍ବ ବିଷୟରେ ସୂଚନା ଦିଆଯାଇଥିଲା ଏବଂ ବିକଳ୍ପ ପରିବହନ ପରାମର୍ଶ ଦିଆଯାଇଥିଲା। ଏଥିସହ ଯାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ଟିକେଟ ଅର୍ଥ ଫେରସ୍ତ କରାଯାଇଥିଲା।

ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଆୟୋଗ ନିଷ୍ପତ୍ତି ନେଇଥିଲେ ଯାତ୍ରୀଙ୍କ ପାଇଁ ସମୟର ମହତ୍ତ୍ୱ ରହିଛି। ଅଯଥା ବିଳମ୍ବ ଅଭିଯୋଗକାରୀଙ୍କ ପାଇଁ ବିଶେଷ ଅସୁବିଧା ସୃଷ୍ଟି କରିଛି। ଯଦିଓ ଟିକେଟ ବୁକିଂ ସମୟରେ ଯାତ୍ରାର ଉଦ୍ଦେଶ୍ୟ ଉଲ୍ଲେଖ କରାଯାଇ ନାହିଁ, କିନ୍ତୁ ରେଳବାଇକୁ ଠିକ ସମୟରେ ସେବାକୁ ପ୍ରାଧାନ୍ୟ ଦେବା ଉଚିତ ବୋଲି ଆୟୋଗ କହିଛନ୍ତି।

Share