ନୂଆଦିଲ୍ଲୀ,୧୧।୫: ରେଳ ଯାତ୍ରାରେ ପୁଣି ଥରେ କରୋନା ପ୍ରୋଟୋକଲ ଫେରିଛି। ଦେଶରେ ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବୁଧବାର ରେଲଓ୍ବେ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏଣିକି ଟ୍ରେନରେ ଯାତ୍ରା କରୁଥିବା ସମୟରେ ଯାତ୍ରୀମାନଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ରେଲଓ୍ବେ ବୋର୍ଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଯାତ୍ରୀ ନୀରଜ ଶର୍ମା ସମସ୍ତ ଜୋନର ମୁଖ୍ୟ ବାଣିଜି୍ୟକ ପରିଚାଳକ(ସିସିଏମ୍)ଙ୍କୁ ଏକ ଚିଠି ପଠାଇ ବୋର୍ଡର ନିର୍ଦ୍ଦେଶ ବାବଦରେ ଅବଗତ କରାଇଛନ୍ତି। ଟ୍ରେନରେ ଯାତ୍ରା କରିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ବୋଲି ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି। ଏଥିସହ କୋଭିଡ ପ୍ରୋଟୋକଲକୁ ମଧ୍ୟ ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, କରୋନା ମାମଲା ହ୍ରାସ ପାଇବା ପରେ ରେଲଓ୍ବେ ପକ୍ଷରୁ ମାସ୍କର ବାଧ୍ୟତାମୂଳକକୁ ସମାପ୍ତ କରାଯାଇଥିଲା। ସେବେଠାରୁ ଯାତ୍ରୀମାନେ ଟ୍ରେନ୍ରେ ବିନା ମାସ୍କରେ ଯାତ୍ରା କରୁଥିଲେ। କିନ୍ତୁ ବର୍ତ୍ତମାନ ଦେଶରେ କରୋନା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଯୋଗୁ ରେଲଓ୍ବେ ପକ୍ଷରୁ ପୁନର୍ବାର କୋଭିଡ ପ୍ରୋଟୋକଲ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ଏହି କ୍ରମରେ ପୁନର୍ବାର ମାସ୍କ ପିନ୍ଧି ଯାତ୍ରା କରିବା ବାଧ୍ୟତାମୂଳକ କରାଯାଇଛି।