ଲାଠୋର,୩୦ା୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ରୋଡ ରେଳ ଷ୍ଟେଶନ ରାସ୍ତା ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ରହିଥିଲେ ମଧ୍ୟ ସେଥିପ୍ରତି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡ଼ୁନାହିଁ। ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଦୀର୍ଘ ବର୍ଷରୁ ଲାଠୋର ସାପ୍ତାହିକ ହାଟରୁ ରେଳ ଷ୍ଟେଶନକୁ ଏକ ରାସ୍ତା ସଂଯୋଗ କରୁଛି। ସେହି ରାସ୍ତା ଦେଇ ପ୍ରତିଦିନ ଜନସାଧାରଣ ଯିବା ଆସିବା କରୁଛନ୍ତି। ସାପ୍ତାହିକ ହାଟ ନିକଟରେ ରହିଥିବା ହୋଟେଲ, ଚା ଦୋକାନ ତଥା ଅନ୍ୟ ଦୋକାନୀମାନେ ଅଳିଆ ଆବର୍ଜନା ଆଣି ରାସ୍ତା କଡ଼ରେ ଜମା କରୁଛନ୍ତି। ଏହାଛଡା ହୋଟେଲରୁ ବାହାରୁଥିବା ମଇଳା ପାଣି ଏହି ରାସ୍ତା କଡ଼ରେ ଫିଙ୍ଗି ଦେଉଛନ୍ତି। ମଇଳା ପାଣିରୁ ଦୁର୍ଗନ୍ଧ ବାହାରିବା ସହ ରାସ୍ତାରେ ଜମି ରହୁଛି। ଫଳରେ ସେହି ରାସ୍ତା ଦେଇ ଯିବା ଆସିବା କରୁଥିବା ଲୋକେ ନା ନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଗ୍ରାମବାସୀ ଅଭିଯୋଗ କଲା ପରେ କିଛି ଦିନ ରାସ୍ତା ଠିକ୍ ଠାକ୍ ଥିଲା। ହେଲେ ବର୍ତ୍ତମାନ ପୁଣି ଆବର୍ଜନାରେ ରାସ୍ତା ପରିପୂର୍ଣ୍ଣ ରହିଛି ଏବଂ ରାସ୍ତାରେ ପାଣି ଭାସୁଛି। ଏନେଇ କଣ୍ଟାବାଞ୍ଜି ଆଇଓଡବ୍ଲୁ ଦୀପକ କୁମାରଙ୍କୁ ପଚାରିବାରେ ଯେଉଁମାନେ ରାସ୍ତାରେ ଆବର୍ଜନା ପକାଇ ସମସ୍ୟା ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ଯଥାଶୀଘ୍ର ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି।