Categories: ଜାତୀୟ

ବଢ଼ିବ ରେଳ ଟିକେଟ୍‌

ନୂଆଦିଲ୍ଲୀ,୯ା୧: ରେଲଓ୍ବେ ବୋର୍ଡ ଷ୍ଟେଶନ ଡେଭେଲପମେଣ୍ଟ ଫି (ଏସ୍‌ଡିଏଫ୍‌)କୁ ଅନୁମୋଦନ କରିଛି। ଏହା ଅନୁଯାୟୀ, ରେଳ ଷ୍ଟେଶନ ପୁନଃ ନିର୍ମାଣ ଯୋଜନାରେ ବିକଶିତ ହୋଇଥିବା କିମ୍ବା ହେବାକୁ ଥିବା ଷ୍ଟେଶନର ଯାତ୍ରୀଙ୍କୁ ଆଗାମୀ ଦିନରେ ଅଧିକ ଭଡ଼ା ଦେବାକୁ ପଡ଼ିବ। ବିଭିନ୍ନ ବର୍ଗର ଟ୍ରେନ୍‌ ଯାତ୍ରୀଙ୍କଠାରୁ ଷ୍ଟେଶନ ଡେଭେଲପମେଣ୍ଟ ଫି ବାବଦରେ ୧୦ରୁ ୫୦ ଟଙ୍କା ଆଦାୟ କରାଯିବ। ଟିକେଟ୍‌ ବୁକିଂ ସମୟରେ ଯାତ୍ରୀମାନେ ଏହି ଅର୍ଥ ଦେବେ। ୩ଟି ବର୍ଗରେ ଏହି ଭଡ଼ା ଆଦାୟ କରାଯିବ। ଏସି କ୍ଲାସ୍‌ ପାଇଁ ଅଧିକ ୫୦ ଟଙ୍କା, ସ୍ଲିପର ପାଇଁ ୨୫ ଏବଂ ଅଣସଂରକ୍ଷିତ ସିଟ୍‌ଗୁଡ଼ିକରେ ଅତିକମ୍‌ରେ ୧୦ ଟଙ୍କା ବର୍ଦ୍ଧିତ ଭଡ଼ା ଯାତ୍ରୀ ଦେବେ। ତେବେ ଲୋକାଲ ଟ୍ରେନ୍‌ ତଥା ସହରତଳି ଅଞ୍ଚଳରେ ଯାତ୍ରା ପାଇଁ ଏହି ଦେୟ ଦେବାକୁ ପଡ଼ିବ ନାହିଁ। ଏ ସଂକ୍ରାନ୍ତରେ ରେଲଓ୍ବେ ବୋର୍ଡ ସମସ୍ତ ଜୋନାଲ ରେଲ୍‌ଓ୍ବେଗୁଡ଼ିକୁ ଗତ ଡିସେମ୍ବର ୩୧ରେ ନିର୍ଦ୍ଦେଶନାମା ଜାରି କରିଛି। ଏଥିସହ ଉକ୍ତ ବର୍ଗରେ ଆସୁଥିବା ଷ୍ଟେଶନଗୁଡ଼ିକରେ ପ୍ଲାଟଫର୍ମ ଟିକେଟ୍‌ ମୂଲ୍ୟ ମଧ୍ୟ ୧୦ ଟଙ୍କା ବଢ଼ିବ। ବିକଶିତ ଷ୍ଟେଶନରୁ ଟ୍ରେନ୍‌ରେ ଚଢ଼ି ଅନ୍ୟ ଏକ ବିକଶିତ ଷ୍ଟେଶନରେ ଓହ୍ଲାଉଥିବା ଯାତ୍ରୀଙ୍କୁ ଏସ୍‌ଡିଏଫ୍‌ର ଦେଢ଼ ଗୁଣା ଅର୍ଥ ଦେବାକୁ ପଡ଼ିବ। ହେଲେ ବିକଶିତ ଷ୍ଟେଶନରେ କେବଳ ଓହ୍ଲାଉଥିବା ଯାତ୍ରୀଙ୍କଠାରୁ କେବଳ ୫୦ ପ୍ରତିଶତ ଆଦାୟ କରାଯିବ।

Share