ଯାତ୍ରୀଙ୍କ ପାଇଁ ଖୁସି ଖବର: କମିଲା ଟ୍ରେନ୍‌ ଟିକେଟ୍‌ ମୂଲ୍ୟ

ନୂଆଦିଲ୍ଲୀ,୨୮।୨: ଜନସାଧାରଣଙ୍କ ପାଇଁ ଆଶ୍ୱସ୍ତି ଖବର। ଭାରତୀୟ ରେଳବାଇ ଟିକେଟ ମୂଲ୍ୟକୁ ହ୍ରାସ କରିଛି। ଯାତ୍ରୀବାହୀ ଟ୍ରେନ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଯୋଗୁ ଟିକେଟ୍‌ ମୂଲ୍ୟ ୪୦ ରୁ ୫୦ ପ୍ରତିଶତ ହ୍ରାସ ପାଇଛି। କୋଭିଡ -୧୯ ଲକଡାଉନ ପରେ ଆରମ୍ଭ ହୋଇଥିବା ଟ୍ରେନ୍‌ ସେବାରେ ଯାତ୍ରୀବାହୀ ଟ୍ରେନ୍‌ର ଭଡା ଦ୍ୱିଗୁଣିତ ହୋଇଥିଲା ।

ଦୀର୍ଘ ସମୟ ଧରି ଯାତ୍ରୀବାହୀ ଟ୍ରେନ୍‌ର ଭଡା ହ୍ରାସ କରିବାକୁ ଦାବି ହୋଇଥିଲା। ଯାତ୍ରୀ ସଙ୍ଗଠନ ମଧ୍ୟ ଏହି ବର୍ଦ୍ଧିତ ଭଡା ବିରୋଧରେ ସ୍ବର ଉତ୍ତୋଳନ କରୁଥିଲେ। ସେମାନଙ୍କୁ ଅନାବଶ୍ୟକ ବର୍ଦ୍ଧିତ ଭଡା ଦେବାକୁ ପଡୁଥିଲା । ଯାତ୍ରୀବାହୀ ଟ୍ରେନ୍‌ ପରି ଏକ୍ସପ୍ରେସ ଟ୍ରେନ୍‌ ପାଇଁ ସେମାନଙ୍କୁ ସମାନ ଭଡା ଦେବାକୁ ପଡୁଥିଲା।

ରେଳ ଅଧିକାରୀଙ୍କ କହିବାନୁସାରେ, କୋଭିଡ-୧୯ ପରେ ଯାତ୍ରୀବାହୀ ଏବଂ ମେମୁ ଟ୍ରେନ୍‌ର ଦ୍ୱିତୀୟ ଶ୍ରେଣୀର ଭଡା ୧୦ ଟଙ୍କାରୁ ୩୦ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଯାତ୍ରୀବାହୀ ଟ୍ରେନ ବଦଳରେ ସେମାନଙ୍କୁ ଏକ୍ସପ୍ରେସ ସ୍ପେସିଆଲ୍ସ ଏବଂ ମେମୁ / ଡେମୁ ଏକ୍ସପ୍ରେସ ନାମରେ ନାମିତ କରାଯାଇଥିଲା । ବର୍ତ୍ତମାନ ଏହି ବ୍ୟବସ୍ଥା ରଦ୍ଦ କରାଯାଇଛି। ଏହି ନିଷ୍ପତ୍ତି ୨୭ ଫେବୃଆରୀ ମଙ୍ଗଳବାର ଠାରୁ କାର୍ଯ୍ୟକାରୀ ହୋଇଛି। ରେଳବାଇ ସମସ୍ତ ବୁକିଂ ରିଜର୍ଭବେଶନ ସୁପରଭାଇଜରଙ୍କୁ ବିଜ୍ଞପ୍ତି ମାଧ୍ୟମରେ ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛି ।

Share