Categories: ଜାତୀୟ

ବିହାର ବନ୍ଦରୁ ଦୂରେଇ ରହିବାକୁ କହିଲେ ଖାନ ସାର୍‌

ପାଟଣା,୨୮।୧: ରେଲଓ୍ବେ ରିକ୍ରୁଟମେଣ୍ଟ ବୋର୍ଡ (ଆରଆରବି)ର ପରୀକ୍ଷା ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗରେ ୨୮ ତାରିଖରେ ବିହାର ବନ୍ଦ ଡାକରା ଦେଇଛି ଅନେକ ଛାତ୍ର ସଂଗଠନ। ହିଂସା ରୂପ ନେଇ ସାରିଥିବା ବିକ୍ଷୋଭରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ଅନୁରୋଧ କରିଛନ୍ତି ୟ୍ୟୁଟ୍ୟୁବର ଖାନ ସାର।

ଖାନ ସାର୍‌ ଶୁକ୍ରବାର ଛାତ୍ରୀଛାତ୍ରଙ୍କୁ ରାଜ୍ୟ ବ୍ୟାପି ବନ୍ଦରେ ଭାଗ ନ ନେବାକୁ କହିଛନ୍ତି। ଏଥି ସହିତ ସରକାର ତାଙ୍କ ଦାବିକୁ ଗୁରୁତ୍ୱ ଦେଉଥିବାରୁ ବିକ୍ଷୋଭ କରିବା ଭୁଲ ନିଷ୍ପତ୍ତି ହେବ ବୋଲି ଖାନ ସାର୍‌ କହିଛନ୍ତି।

ସର୍ବଭାରତୀୟ ଛାତ୍ରୀଛାତ୍ର ଆସୋସିଏଶନ (ଏଆଇଏସ୍‌ଏ) ସମେତ ଅନ୍ୟ କିଛି ଛାତ୍ର ସଂଗଠନ ଆରଆରବିର ଏନ୍‌ଟିସିପି (ନନ୍‌-ଟେକନିକାଲ ପପୁଲାର କାଟେଗୋରିଜ) ପରୀକ୍ଷା ବିରୋଧରେ ଶୁକ୍ରବାର ରାଜ୍ୟ ବ୍ୟାପି ବନ୍ଦ ପାଳନ କରିବାକୁ ଧମକ ଦେଇଥିଲେ।

ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷା ପାଇଁ କୋଚିଂ କ୍ଲାସ ଦେଉଥିବା ଖାନ ସାର୍‌ଙ୍କ ବିରୋଧରେ ଛାତ୍ରଙ୍କୁ ଉସୁକାଇବା ପାଇଁ ମାମଲା ରୁଜୁ କରାଯାଇଛି। ହିଂସାତ୍ମକ ଆନ୍ଦୋଳନ ପାଇଁ ଅଟକ ରଖାଯାଇଥିବା ଛାତ୍ରଙ୍କ ବୟାନ ଆଧାରରେ ପାଟଣା ମାମଲା ରୁଜୁ କରାଯାଇଥିଲା।

Share