Categories: ଜାତୀୟ

ଚାଲିବ ଅକ୍ସିଜେନ ଏକ୍ସପ୍ରେସ୍‌ ଟ୍ରେନ

ନୂଆଦିଲ୍ଲୀ,୧୮।୪: ପୂରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ବିଭିନ୍ନ ରାଜ୍ୟରେ ଦେଖାଦେଇଛି ହସ୍ପିଟାଲ ବେଡ୍‌ ଓ ଅକ୍ସିଜେନର ଅଭାବ। ବିଭିନ୍ନ ରାଜ୍ୟରେ ଅକ୍ସିଜେନ ପହଞ୍ଚାଇବା ଦାୟିତ୍ୱ ନେଇଛି ଭାରତୀୟ ରେଲ୍‌ଓ୍ବେ। ଏ ନେଇ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲ ରବିବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ଶୀଘ୍ର ଲକ୍ଷ୍ୟ ସ୍ଥଳରେ ଅକ୍ସିଜେନ ପହଞ୍ଚିବା ଲାଗି ଗ୍ରୀନ କରିଡର ପ୍ରସ୍ତୁତ କରାଯାଇଛି। କରୋନା ବିରୋଧରେ ଚାଲିଥିବା ଲଢ଼େଇ ପଛରେ ରହିବାକୁ ଚାହୁଁ ନାହିଁ ଭାରତୀୟ ରେଲଓ୍ବେ। ଗ୍ରୀନ କରିଡର ମାଧ୍ୟମରେ ଅକ୍ସିଜେନ ଏକ୍ସପ୍ରେସ ଚଳାଚଳ କରିବ। ଯାହା ଫଳରେ ରୋଗୀଙ୍କ ପାଇଁ ଶୀଘ୍ର ଅକ୍ସିଜେନ ପହଞ୍ଚି ପାରିବ ବୋଲି ରେଲ୍‌ଓ୍ବେ ମନ୍ତ୍ରୀ ଟୁଇଟ୍‌ କରିଛନ୍ତି। ଏହି ଟ୍ରେନରେ ଲିକ୍ୟୁଡ୍‌ ମେଡିକାଲ ଅକ୍ସିଜେନ (ଏଲ୍‌ଏମ୍‌ଓ) ଓ ଅକ୍ସିଜେନ ସିଲିଣ୍ଡର୍ସ ପଠାଯିବ।

ଲିକ୍ୟୁଡ୍‌ ମେଡିକାଲ ଅକ୍ସିଜେନ (ଏଲ୍‌ଏମ୍‌ଓ) ଟ୍ୟାଙ୍କର୍ସ ରେଳରେ ପରିବହନ କରିବା ପାଇଁ ରେଲଓ୍ବେ ମନ୍ତ୍ରଣାଳୟ ନିକଟରେ ଅନୁରୋଧ କରିଥିଲେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ସରକାର। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଟ୍ରେନରେ ଆଇସୋଲେଶନ ବେଡ୍‌ ସଂଖ୍ୟା ବଢ଼ାଇବା ଦିଗରେ କାର୍ଯ୍ୟ କରୁଥିବା ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍‌ର ଜରିଆରେ କୁହାଯାଇଛି।

Share