Categories: ଜାତୀୟ

୨୦୨୩ ସୁଦ୍ଧା ସିକିମ୍‌କୁ ଗଡ଼ିବ ରେଳ…

ଗାଙ୍ଗଟକ୍‌,୧୫।୧୧: ଆସନ୍ତା ୨୦୨୩ ସୁଦ୍ଧା ସିକିମ୍‌କୁ ରେଳ ଗଡ଼ିବ। ଆସନ୍ତା ୨ ବର୍ଷ ମଧ୍ୟରେ ୪୪.୯୮ କିଲୋମିଟର ଦୀର୍ଘ ସେଭୋକେ-ରାଙ୍ଗପୋ ରେଳ ଲାଇନ କାର୍ଯ୍ୟକ୍ଷମ ହେବ। ଏନେଇ ନର୍ଥ-ଇଷ୍ଟ ଫ୍ରଣ୍ଟିଅର ରେଲଓ୍ବେର ଜେନେରାଲ ମ୍ୟାନେଜର ଅଶୁଂଳ ଗୁପ୍ତା ସୂଚନା ଦେଇଛନ୍ତି। ସେଭୋକା ପଶ୍ଚିମବଙ୍ଗର ସିଲିଗୁଡ଼ିଠାରୁ ୨୦ କିଲୋମିଟର ଦୂର। ୨୦୦୯ରେ ତତ୍‌କାଳୀନ ରେଳମନ୍ତ୍ରୀ ମମତା ବାନାର୍ଜୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହା ୨୦୧୫ରେ ଶେଷ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।

ତେବେ ଏହି ପ୍ରକଳ୍ପକୁ ୨୦୨୩ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟ ଏବଂ ରେଲଓ୍ବେ ବୋର୍ଡ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଭାରତୀୟ ରେଳଓ୍ବେ କନଷ୍ଟ୍ରକଶନ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହି ପ୍ରକଳ୍ପର ୩୦ ପ୍ରତିଶତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ପ୍ରକଳ୍ପ ଶେଷ ହେଲେ ପଶ୍ଚିମବଙ୍ଗ ଏବଂ ସିକିମ୍‌ ମଧ୍ୟରେ ଯୋଗାଯୋଗ ସ୍ଥାପନ ହୋଇପାରିବ। ଏହି ପ୍ରକଳ୍ପ ପାଇଁ ୧,୩୩୯.୪୮ କୋଟିର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି। ତେବେ କାର୍ଯ୍ୟରେ ବିଳମ୍ବ ହେବା ଯୋଗୁ ବ୍ୟୟ ଅଟକଳ ୫,୦୦୦ କୋଟିକୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ପ୍ରକଳ୍ପର ୪୧.୫୪ କିଲୋମିଟର ପଶ୍ଚିମବଙ୍ଗର ଦାର୍ଜଲିଂ ଏବଂ କାଲିମ୍‌ପୋଙ୍ଗ ଜିଲାରେ ରହିଛି। ଅବଶିଷ୍ଟ ୩.୪୪ କିଲୋମିଟର ସିକିମ୍‌ରେ ରହିଛି। ଏହି ପ୍ରକଳ୍ପରେ ୧୪ ଟନେଲ ଏବଂ ୧୭ ବ୍ରିଜ୍‌ ରହିଛି। ପଶ୍ଚିମବଙ୍ଗରେ ୧୩ଟି ଟନେଲ ଅଛି। ସେହିପରି ଏହି ପ୍ରକଳ୍ପରେ ୫ଟି ଷ୍ଟେଶନ ରହିଛି।

Share