ନୂଆଦିଲ୍ଲୀ,୧୦।୧୧: ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନେଇ ଲୋକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଦିଲ୍ଲୀ ଏନ୍ସିଆର୍ ନୋଏଡା, ଗୁରୁଗ୍ରାମ ଏବଂ ଏହାର ଆଖପାଖ ଅଞ୍ଚଳରେ ଗୁରୁବାର ଏବଂ ଶୁକ୍ରବାର ବିଳମ୍ବିତ ରାତିରେ ହାଲୁକା ବର୍ଷା ହେବା ପରେ ପ୍ରଦୂଷଣ ସାଙ୍ଗକୁ ଧୂଆଁ ସାମାନ୍ୟ କମିଛି। ଫଳରେ ବାୟୁମଣ୍ଡଳରେ ଅବସ୍ଥା ପୂର୍ବାପେକ୍ଷା ଟିକେ ସୁଧୁରିିଛି।
ଦିଲ୍ଲୀରେ କର୍ତ୍ତବ୍ୟ ପଥ, ଆଇଟିଓ ଏବଂ ଦିଲ୍ଲୀ-ନୋଏଡା ସୀମାରୁ ଆସିଥିବା ଅଡିଓରୁ ଏହା ଦେଖିବାକୁ ମିଳିଛି। ଦିଲ୍ଲୀରେ ହାଲୁକା ମଧ୍ୟମଧରଣର ବର୍ଷା ପରେ ପାଗରେ ହଠାତ୍ ପରିବର୍ତ୍ତନ ଦେଖାଦେଇଛି। ଦିଲ୍ଲୀର ଏୟାର୍ କ୍ବାଲିଟି ଇଣ୍ଡେକ୍ସରେ ଉନ୍ନତି ହୋଇଛି। ପ୍ରଦୂଷଣ କମ୍ କରିବା ପାଇଁ ଦିଲ୍ଲୀ ସରକାର କୃତ୍ରିମ ବର୍ଷା କରିବା ପାଇଁ ଯୋଜନା କରିଥିଲା। ଏପରିକି ଶୀତ ଆରମ୍ଭ ନ ହେଉଣୁ ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ଦେଖି ସରକାର ଚିନ୍ତାରେ ପଡିଥିଲେ।
ପରିସ୍ଥିତିକୁ ଦେଖି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ବୁଧବାର ଆଇଆଇଟି କାନପୁରର ଏକ ଟିମ୍ ସହିତ ବୈଠକ କରିଥିଲେ। ଟିମ୍ ସହ ସହରରେ ବାୟୁ ମାନରେ ସୁଧାର ଆଣିବା ପାଇଁ କୃତ୍ରିମ ବର୍ଷା କରିବା ପ୍ରସ୍ତାବ ଉପରେ ମନ୍ତ୍ରୀ ଆଲୋଚନା କରିଥିଲେ।