Categories: ଜାତୀୟ

ଓ୍ବାର୍କ ଫ୍ରମ୍‌ ହୋମ୍‌ ପାଇଁ ଲୋକଙ୍କୁ ପରାମର୍ଶ

ନୂଆଦିଲ୍ଲୀ,୨୩।୫: ରାଜଧାନୀ ଦିଲ୍ଲୀ ଏବଂ ଏନ୍‌ସିଆରରେ ପ୍ରବଳ ବର୍ଷା ହୋଇଛି। ରାସ୍ତାଗୁଡିକ ଜଳମଗ୍ନ ହୋଇଯାଇଛି। ଫଳରେ ବ୍ୟାପକ ଟ୍ରାଫିକ୍‌ ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି। ଗୁରୁଗ୍ରାମର ଅନେକ ଅଞ୍ଚଳ ଏବେ ପାଣି ଘେରରେ। ଏହାକୁ ଦୃଷ୍ଟିରେ ରଖି ଗୁରୁଗ୍ରାମର ଜିଲା ଅଧିକାରୀ ଘରୋଇ ସଂସ୍ଥା ଏବଂ କର୍ପୋରେଟ ଅଫିସର କର୍ମଚାରୀଙ୍କୁ ଘରୁ କାମ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଫଳରେ ଟ୍ରାଫିକ୍‌ ଜାମ ହେବ ନାହିଁ। ଏଥିସହ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତାଗୁଡିକର ମରାମତି କାର୍ଯ୍ୟ ହୋଇପାରିବ ବୋଲି କୁହାଯାଇଛି। ସେପଟେ ଗୁରୁଗ୍ରାମ ଟ୍ରାଫିକ୍‌ ପୋଲିସ ମଧ୍ୟ ଲୋକଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛି। ଟୁଇଟ୍‌ କରି କହିଛି, ‘ଆମ ପାଖରେ ୱାର୍କ ଫ୍ରମ ହୋମ ବିକଳ୍ପ ନାହିଁ। ଯେଉଁମାନଙ୍କର ସମ୍ଭବ ସେମାନେ ଘରୁ ରହି କାମ କରିବାକୁ ଚିନ୍ତା କରନ୍ତୁ। ଆପଣଙ୍କ ସହାୟତା ପାଇଁ ପୋଲିସ ଅଛି।’

ଗୁରୁଗ୍ରାମର ବଖତାୱର ଛକ, ଏମ୍‌ଡିଆଇ ଛକ, ଡିଏଲଏଫ ଫେଜ-୧ ମେଟ୍ରୋ ନିକଟସ୍ଥ ଅଞ୍ଚଳ କହ୍ନେୟା ଛକ, ଅଗ୍ରସେନ ଛକ ଏବଂ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ତେବେ ଆଗକୁ ଆହୁରି ବର୍ଷିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଜାରି କରାଯାଇଛି।

Share