ଅମଳ ସମୟରେ ବର୍ଷା, ବ୍ୟାପକ ଫସଲ ନଷ୍ଟ ଆଶଙ୍କା

ନିରାକାରପୁର,୬ା୧୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅଞ୍ଚଳରେ ଥିବା ପ୍ରାୟ ୯ହଜାର ହେକ୍ଟର ଜମିରେ ଚାଷୀମାନେ ଧାନଫସଲ କରିଛନ୍ତି। ତେବେ ଧାନଫୁଲ ଉଡ଼ାଇବା ସମୟ ପୂର୍ବରୁ ମୌସୁମୀ ବର୍ଷା ଉଭେଇ ଯାଇଥିବାରୁ ଚାଷୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ସେଥିରୁ ଯେଉଁ ଅଳ୍ପ କିଛି ଥିଲା ତାହା ଅମଳ ସମୟକୁ ‘ମିଗ୍‌ଜୋମ’ ବାତ୍ୟା ପ୍ରଭାବରେ ୨ଦିନ ଧରି ଲାଗି ରହିଥିବା ଝିପିଝିପି ବର୍ଷା ଚାଷୀଙ୍କ ମେରୁଦଣ୍ଡକୁ ଦୁର୍ବଳ କରିଦେଇଛି। ଜମିରେ କଟାହୋଇ ପଡ଼ିଥିବା ଧାନ ସବୁ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଏହି ବର୍ଷାକୁ ଆଖିଆଗରେ ରଖି କିଛି ଚାଷୀ ବିଲରୁ ଧାନ କାଟି ଖଳାବାଡ଼ିରେ ଗଦେଇ ଦେଇଥିବା ବେଳେ ତା’ ଭିତରେ ବର୍ଷା ପାଣି ପଶି ଗଜା ହେବାର ଆଶଙ୍କା ସୃଷ୍ଟି ହୋଇଥିବା ଚାଷୀ ସୁନୀଲ କୁମାର ସୁବୁଦ୍ଧି ପ୍ରକାଶ କରିଛନ୍ତି। ବାତ୍ୟା ପ୍ରଭାବରେ ଏଭଳି ବର୍ଷା ଲାଗି ରହିଲେ ଚାଷୀ ନିଶ୍ଚିତ ଭାବରେ କ୍ଷତିରେ ପଡ଼ିବେ ବୋଲି ଅନେକ ଚାଷୀ ପ୍ରକାଶ କରିଛନ୍ତି। ସରକାର ଯଥାଶୀଘ୍ର ଏହାର ସଠିକ୍‌ ତଦନ୍ତ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଟାଙ୍ଗୀ ବ୍ଲକ କୃଷକ ନେତା ଗିରିଶ ଚନ୍ଦ୍ର ମହାରଣା ଦାବି କରିଛନ୍ତି। ଏନେଇ ଟାଙ୍ଗୀ ବ୍ଲକ କୃଷି ଅଧିକାରୀ ପ୍ରସନ୍ନ କୁମାର ମିଶ୍ରଙ୍କୁ ପଚାରିବାରେ ବର୍ଷା ଛାଡ଼ିଯିବା ପରେ ତୁରନ୍ତ ତଦନ୍ତ କରାଯାୟୀ ଉପର ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରାଯିବ ଏବଂ ଅରକାରୀ ନିୟମ ଅନୁସାରେ କୃଷକ ତାଙ୍କ ସଠିକ୍‌ ପ୍ରାପ୍ୟ ପାଇ ପାରିବେ ବୋଲି କୃଷି ଅଧିକାରୀ ମିଶ୍ର ସୂଚନା ଦେଇଛନ୍ତି।

Share