Categories: ଜାତୀୟ

ବାତ୍ୟା ମିଗଜୋମ୍‌ର ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା: ବୁଡ଼ିଲା ରନ୍‌ଓ୍ବେ, ଭାସିଲା କାର୍‌

ଚେନ୍ନାଇ,୧୨।୪: ବାତ୍ୟା ମିଗଜୋମ୍‌ର ପ୍ରଭାବ ଚେନ୍ନାଇରେ ଦେଖିବାକୁ ମିଳିଛି। ଏନେଇ ରବିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ପାଣିରେ ଉବୁଟୁବୁ ହେଉଛି ଚେନ୍ନାଇ। ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି। ଚେନ୍ନାଇର ଇଷ୍ଟକୋଷ୍ଟ ରୋଡରେ ପ୍ରବଳ ବର୍ଷା ଯୋଗୁ କାନ୍ଥ ଭୁଶୁଡି ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଏପରି କି ଚେନ୍ନାଇର ବିଭିନ୍ନ ସ୍ଥାନରେ ପାଣି ଜମି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଚେନ୍ନାଇ ଏୟାରପୋର୍ଟ ରନଓ୍ବେ ବର୍ଷା ପାଣିରେ ବୁଡିଯାଇଛି। ଫଳରେ ବିମାନ ଉଡାଣ ବାତିଲ ହୋଇଛି। ସେହିପରି ଲୋକଙ୍କ ଘରେ ପାଣି ପଶି ଯାଇଛି। ଏପରି କି ପାର୍କିଂରେ ରଖାଯାଇଥିବା କାର୍‌ ମଧ୍ୟ ଭାସୁ ଥିବା ଦୃଶ୍ୟ ସାମ୍ନାକୁ ଆସିଛି। ପ୍ରବଳ ବର୍ଷା ଯୋଗୁ ରାସ୍ତାରେ କୁମ୍ଭୀର ମଧ୍ୟ ଚାଲି ଆସିଥିବା ଦେଖିବାକୁ ମିଳିଛି। ଏନେଇ ଲୋକେ ଭୟଭୀତ ହୋଇପଡିଛନ୍ତି।

ବିଭିନ୍ନ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ରାସ୍ତାରେ ଗାଡିଗୁଡିକ ଅଟକି ରହିଛି। ବାତ୍ୟା ମିଗଜୋମ୍‌ ସୋମବାର ତାମିଲନାଡୁର ଉପକୂଳରେ ପହଞ୍ଚିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରିଛନ୍ତି। ପୁଡୁଚେରୀ ଏବଂ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଜିଲାର ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share