୨୯ ଯାଏ ବର୍ଷିବ

ଭୁବନେଶ୍ୱର,୨୭ା୬(ଅନିଲ ଦାସ): ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏଥିସହିତ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନାଅନୁଯାୟୀ ଗତ ୨୪ ଘଣ୍ଟାରେ ଅନୁଗୋଳରେ ସର୍ବାଧିକ ୧୭୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାବେଳେ ହୀରାକୁଦରେ ୧୨୭, ଦେବଗଡ଼ ୧୨୩, ନୂଆପଡ଼ାରେ ୧୦୧, ବୌଦ୍ଧ ୧୦୦ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ଗୋପାଳପୁରରେ ୨୦ ମିଲିମିଟର, ପୁରୀ ୪୫, ବାରିପଦା ୪୨, ଝାରସୁଗୁଡ଼ା ୩୬.୫, କେନ୍ଦୁଝର ୧୫.୩, ବଲାଙ୍ଗୀର ୮୩, କୋରାପୁଟ ୫୩, ଫୁଲବାଣୀ ୪୫.୮, ଟିଟିଲାଗଡ଼ ୧୭, ମାଲକାନଗିରି ୨୯, ପାରଳାଖେମୁଣ୍ଡି ୪୫.୬, ଢେଙ୍କାନାଳ ୬୧ ଓ ବରଗଡରେ ୪୫.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅନ୍ୟାନ୍ୟ ଭାଗରେ ମଧ୍ୟ ମୌସୁମୀ ଓ ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉକ୍ତ ଜିଲାଗୁଡ଼ିକ ପାଇଁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି। ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମୌସୁମୀ ଜନିତ ବର୍ଷା ଲାଗି ରହିବ।

Share