Categories: ଖେଳ

ବର୍ଷାରେ ଧୋଇବ ଫାଇନାଲ, ଯୁଗ୍ମ ବିଜେତା ସମ୍ଭାବନା

ମେଲବୋର୍ନ,୧୨ା୧୧(ପି.ଟି.): ଆସନ୍ତା ରବିବାର ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ହେବାକୁଥିବା ପାକିସ୍ତାନ-ଇଂଲଣ୍ଡ ଟି୨୦ କ୍ରିକେଟ ବିଶ୍ୱକପ୍‌ ମ୍ୟାଚ ବର୍ଷାରେ ଧୋଇଯିବା ସମ୍ଭାବନା ରହିଛି। ଏପରି ହେଲେ ଦୁଇ ଦଳ ଯୁଗ୍ମ ବିଜେତା ଘୋଷିତ ହେବେ। ରବିବାର ମେଲବୋର୍ନରେ ବର୍ଷା ହେବାର ସମ୍ଭାବନା ୯୫ ପ୍ରତିଶତ ରହିଛି। ପାଖାପାଖି ୨୫ ମିଲିମିଟର ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ସୋମବାର ରିଜର୍ଭ ଦିବସରେ ମଧ୍ୟ ୫ରୁ ୧୦ ମିଲିମିଟର ବର୍ଷା ହେବାର ପୂର୍ବାନୁମାନ ରହିଛି। ଦୁଇଦିନଯାକ ପ୍ରବଳ ବର୍ଷା ହେବାର ଆକଳନ କରାଯାଉଥିବାରୁ ଖେଳ ହେବା ସମ୍ଭାବନା କ୍ଷୀଣ ହୋଇଛି। ଟୁର୍ନାମେଣ୍ଟର ଫାଇନାଲ ପାଇଁ ନିୟମ ଅନୁସାରେ ଅତିକମ୍‌ରେ ୧୦ ଓଭର ଖେଳ ହେବା ଆବଶ୍ୟକ। ଏହା ସମ୍ଭବ ନ ହେଲେ ଯୁଗ୍ମ ବିଜେତା ଘୋଷଣା କରାଯିବ। ଟସ୍‌ ପଡ଼ିବା ପରେ ଗେମ୍‌ ଲାଇଭ୍‌ ହୋଇଯିବ। ଆବଶ୍ୟକସ୍ଥଳେ ଓଭର କମାଇ ରବିବାର ମ୍ୟାଚ ସାରିବାକୁ ଉଦ୍ୟମ କରାଯିବ। ଯଦି ଖେଳ ଅଧାରୁ ବନ୍ଦ ହୁଏ ତେବେ ରିଜର୍ଭ ଦିବସରେ ସେହିଠାରୁ ଖେଳ ଆରମ୍ଭ କରି ଶେଷ କରିବାକୁ ଚେଷ୍ଟା କରାଯିବ। ପ୍ରକାଶ ଯୋଗ୍ୟ ଯେ, ବର୍ଷା ଯୋଗୁ ଭାରତ-ନ୍ୟୁଜିଲାଣ୍ଡ ୨୦୧୯ ଦିନିକିଆ ବିଶ୍ୱକପ ସେମିଫାଇନାଲ ୨ ଦିନ ଖେଳାଯାଇଥିଲା। ଭାରତ-ଶ୍ରୀଲଙ୍କା ୨୦୦୨ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ବର୍ଷାରେ ଧୋଇଥିଲା। ସେତେବେଳର ପ୍ଲେଇଂ କଣ୍ଡିଶନ୍ସ ଅନୁସାରେ ରିଜର୍ଭ ଦିବସରେ ମ୍ୟାଚ ପୁଣିଥରେ ମୂଳରୁ ଆରମ୍ଭ ହେବାର ନିୟମ ଥିଲା। ମାତ୍ର ତାହା ମଧ୍ୟ ବାତିଲ ହୋଇଥିଲା। ଏଠାରେ ସ୍ମରଣ କରାଇ ଦିଆଯାଇପାରେ ଯେ, ଏଥର ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଗ୍ରୁପ୍‌ ପର୍ଯ୍ୟାୟର ୩ଟି ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଥିଲା ଏବଂ ଗୋଟିଏ ମ୍ୟାଚରେ ଓଭର କାଣ୍ଟଛାଟ ହୋଇଥିଲା।

Share