ବିଦ୍ୟାଳୟ ପରିସରରେ ପଶିଲା ବର୍ଷାଜଳ

ଦାରିଙ୍ଗବାଡ଼ି,୨୨ା୭(ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଲଘୁଚାପଜନିତ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଗୁରୁବାର ମଧ୍ୟାହ୍ନରେ କିଛି ସମୟ ପ୍ରବଳ ବର୍ଷା ହୋଇଥିଲା। ଫଳରେ ଉକ୍ତ ବ୍ଲକ ସିମନବାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୁଖ୍ୟ ଫାଟକ ଦେଇ ଯାଇଥିବା ପଞ୍ଚାୟତ ରାସ୍ତାକଡ଼ରେ ଥିବା ଡ୍ରେନ୍‌ରୁ ବର୍ଷାଜଳ ନିଷ୍କାସନ ହୋଇପାରି ନ ଥିଲା। ବର୍ଷା ଜଳ ସିଧା ବିଦ୍ୟାଳୟ ପରିସରରେ ପଶି ଆଣ୍ଠୁଏ ଲେଖାଏ ପାଣି ଜମା ହୋଇ ଲହଡା ଭାଙ୍ଗିଥିଲା। ଠିକ୍‌ ସେହି ସମୟରେ ମଧ୍ୟାହ୍ନଭୋଜନ ପାଇଁ ଛୁଟି ହୋଇଥିବା ବେଳେ ଡାଇନିଂ ରୁମ୍‌ ନ ଥିବାରୁ ଛାତ୍ରୀଛାତ୍ରୀମାନଙ୍କୁ ଝିପିଝିପି ବର୍ଷାରେ ଗୋଟିଏ ସ୍ଥାନ ବଦଳରେ ସ୍ଥାନ ଅଭାବରୁ ବୁଲି ବୁଲି ଖୋଲା ପଡିଆ, ଶ୍ରେଣୀ ପିଣ୍ଡାରେ ଖାଇବାକୁ ପଡିଛି। ବର୍ଷାରେ ଛାତ୍ରୀଛାତ୍ରଙ୍କ ଖାଦ୍ୟରେ ଆହୁରି ବର୍ଷାଜଳ ପଡିବା ଦେଖିବାକୁ ମିଳିଛି । ସେହିପରି ଯେଉଁଠି ମଧ୍ୟାନ୍ନଭୋଜନ ରୋଷେଇ କରାଯାଉଛି ସେଠୁ ଅନ୍ୟ ଏକ ପିଣ୍ଡାରେ ଛାତ୍ରୀଛାତ୍ରଙ୍କୁ ଖାଦ୍ୟ ପରଷାଯାଉଥିଲା । ଫଳରେ ରୋଷେୟାମାନେ ମଧ୍ୟ ବର୍ଷାରେ ଖାଦ୍ୟ ପରଷିଛନ୍ତି। ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପ୍ରାୟ ୨୬୮ ଛାତ୍ରୀଛାତ୍ର ପଢୁଥିବା ବେଳେ ସେମାନଙ୍କ ପାଇଁ ୪ଟି ପକ୍କାଘର ଶ୍ରେଣୀ କୋଠା ରହିଥିବା ବେଳେ ଅନ୍ୟ କଚ୍ଚା ୩ଟି ଶ୍ରେଣୀ ଗୃହ ରହିଛି ଏବଂ ଅନ୍ୟ କିଛି ଶ୍ରେଣୀଗୃହ ଅତି ପୁରାତନ ହୋଇଥିବାରୁ ତାକୁ ବ୍ୟବହାର କରାଯାଉନାହିଁ। କଚ୍ଚା ଶ୍ରେଣୀ ଗୃହରେ ବର୍ଷା ପାଣି ଗଳୁଥିବା ବେଳେ ପିଲାଙ୍କ ବହି ଓଦା ହେଇଯାଉଥିବା ଛାତ୍ରୀଛାତ୍ରମାନେ କହିଛନ୍ତି । ସେମାନଙ୍କ ଖେଳ ପଡିଆ ସମେତ ପକ୍କା ଶ୍ରେଣୀଗୃହ, ଡାଇନିଂ ହଲ୍‌, ଲାଇବ୍ରେରି, କମ୍ପ୍ୟୁଟର ଶିକ୍ଷା ଆଦି ଆବଶ୍ୟକ ରହିଥିବା ଛାତ୍ରୀଛାତ୍ରମାନେ କହିଛନ୍ତି। ଦୀର୍ଘ ଦିନ ହେଲା ଶ୍ରେଣୀ ଗୃହର ମରାମତି ହେଉ ନ ଥିବାରୁ ପାଣି ଗଳୁଥିବା ଛାତ୍ରୀଛାତ୍ରମାନେ ଅଭିଯୋଗ କରିଛନ୍ତି। ଏ ସମସ୍ୟା ନେଇ ପ୍ରଶାସନକୁ ଜଣାଯାଇଛି। ଉକ୍ତ ବିଦ୍ୟାଳୟ ଶୀଘ୍ର ରୂପାନ୍ତରଣ କାର୍ଯ୍ୟ କରାଯିବ ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଚାଲିଥିବା ପ୍ରଧାନ ଶିକ୍ଷକ ବିଦେଶୀ ନାୟକ କହିଛନ୍ତି। ବିଦ୍ୟାଳୟର ପୁରାତନ ଛାତ୍ର ବରୁଣ କୁମାର ବେହେରା କହିଛନ୍ତି , ବିଦ୍ୟାଳୟଟି ୧୩୫ ବର୍ଷ ପୁରୁଣା କିନ୍ତୁ ତେଣୁ ଉକ୍ତ ବିଦ୍ୟାଳୟର ଶୀଘ୍ର ବିକାଶ କରିବା ସହ ଛାତ୍ରୀଛାତ୍ରଙ୍କୁ ମୌଳିକ ସୁବିଧା ଯୋଗାଇଦେବାକୁ ସେ ଦାବି କରିଛନ୍ତି।