Categories: ଜାତୀୟ

ପାନୀୟ ଉପଯୋଗୀ ନୁହେଁ ବର୍ଷାଜଳ

ଷ୍ଟକ୍‌ହୋମ୍‌, ୧୧ା୮: ବର୍ଷାଜଳକୁ ସିଧାସଳଖ ପାନୀୟ ଭାବେ ବ୍ୟବହାର କରିବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ସୁଇଡେନ୍‌ସ୍ଥିତ ଷ୍ଟକ୍‌ହୋମ୍‌ ୟୁନିଭର୍ସିଟିର ଏକ ଅଧ୍ୟୟନରୁ ଜଣାପଡ଼ିଛି। ଏଥିରେ ମାତ୍ରାଧିକ ପର୍‌-ଆଣ୍ଡ୍‌ ପଲିଫ୍ଲୋରୋଆଲ୍‌କାଇଲ ସବ୍‌ଷ୍ଟାନ୍ସେସ୍‌ (ପିଏଫ୍‌ଏଏସ୍‌) ରହିଥାଏ। ଏହି ବିଷାକ୍ତ କେମିକାଲର ବିଘଟନ ବିଳମ୍ବରେ ହୋଇଥାଏ। ଫଳରେ ତାହା ଆମ ସ୍ବାସ୍ଥ୍ୟ ପ୍ରତି ହାନିକାରକ ବୋଲି ସଦ୍ୟ ଅଧ୍ୟୟନ ରିପୋର୍ଟରେ କୁହାଯାଇଛି। ଏହି ରିପୋର୍ଟ ଏନ୍‌ଭାଇରନ୍‌ମେଣ୍ଟାଲ ସାଇନ୍ସ ଆଣ୍ଡ୍‌ ଟେକ୍ନୋଲୋଜି ପତ୍ରିକାରେ ପ୍ରକାଶ ପାଇଛି।

ପ୍ରଥମେ ଶାମ୍ପୁ ଏବଂ କସ୍‌ମେଟିକ୍‌ ସାମଗ୍ରୀରେ ମିଳିଥିଲା। ଏବେ ତାହା ପାଣି ଏବଂ ବାୟୁରେ ବ୍ୟାପି ସାରିଛି। ଗବେଷଣାରେ ଭାଗ ନେଇଥିବା ପ୍ରଫେସର ଇଆନ୍‌ କଜିନ୍‌ କହିଛନ୍ତି, ପୃଥିବୀରେ ଏପରି କୌଣସି ଏକ ସ୍ଥାନ ନାହିଁ ଯେଉଁଠି ବର୍ଷାଜଳ ପାନୀୟ ଉପଯୋଗୀ। ଏପରି କି ଆଣ୍ଟାର୍କଟିକା ଏବଂ ତିବ୍ବତ ମାଳଭୂମିରେ ମଧ୍ୟ ବର୍ଷାଜଳ ବିଷାକ୍ତ। ରିପୋର୍ଟରେ ଆହୁରି କୁହାଯାଇଛି, ଫିଏଫ୍‌ଏସ୍‌ ମିଶ୍ରିତ ପାଣି ପିଉଥିବା ଏବଂ ଏହା ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କ ପ୍ରଜନନ କ୍ଷମତା ପ୍ରଭାବିତ ହୋଇଥାଏ। ଶିଶୁଙ୍କ ଶାରୀରିକ ବିକାଶ ବାଧାପ୍ରାପ୍ତ ହେବା ସହ ମୋଟାପଣ ଏବଂ ରକ୍ତରେ କୋଲେଷ୍ଟର ମାତ୍ରା ମଧ୍ୟ ବଢ଼ିବାର ଯଥେଷ୍ଟ ଆଶଙ୍କା ରହିଛି।

ପିଏଫ୍‌ଏସ୍‌ ପୃଥିବୀ ସାରା ବ୍ୟାପ୍ତ ଏବଂ ଏହାକୁ ସମ୍ପୂର୍ଣ୍ଣ ଭାବେ ହଟାଯିବା ଅସମ୍ଭବ। ଆମ ଗ୍ରହରେ ଯେତିକି ମାତ୍ରାରେ ପିଏଫ୍‌ଏସ୍‌ ରହିବା କଥା ଏବେ ତାହାଠାରୁ କାହିଁ କେତେଗୁଣା ଏହାର ମାତ୍ରା ବଢ଼ିଯାଇଛି। ତେଣୁ ଏହି କ୍ଷତିକାରକ ରାସାୟନିକ ପଦାର୍ଥ ସହ ଆମକୁ ଚଳିବାକୁ ପଡ଼ିବ ବୋଲି ପ୍ରଫେସର କଜିନ୍‌ କହିଛନ୍ତି।

Share