Categories: ରାଜ୍ୟ

୬ରୁ ପୁଣି ବଢ଼ିବ ବର୍ଷା

ଭୁବନେଶ୍ୱର,୪ା୮ (ଅନୁରାଧା ମହାରଣା) : ବଙ୍ଗୋପସାଗରରେ ଶନିବାର ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି। ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ଉପରେ ଏହି ଲଘୁଚାପ କେନ୍ଦ୍ରୀଭୂତ ରହିଛି। ତେବେ ସମ୍ପୂର୍ଣ୍ଣ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନରୁ ବାୟୁମଣ୍ଡଳରେ ୭.୬ କି.ମି. ଉଚ୍ଚତା ଯାଏ ଲମ୍ବିଛି, ଯାହା ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ସୁଦୃଶ ଲଘୁଚାପରେ ପରିଣତ ହେବ। ଏବେ ରାଜ୍ୟରେ ବର୍ଷା କମିଥିବାବେଳେ ସୋମବାର ପର୍ଯ୍ୟନ୍ତ ଏହି ସ୍ଥିତି ଲାଗି ରହିବ। ତେବେ ଲଘୁଚାପ ପ୍ରଭାବରେ ଆସନ୍ତା ୬ ତାରିଖରୁ ବର୍ଷା ପରିମାଣ ବଢ଼ିବ। ବିଶେଷକରି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାବେଳେ ୬ ଜିଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। କେନ୍ଦୁଝର, ସୁନ୍ଦରଗଡ, ଦେବଗଡ଼, ଝାରସୁଗୁଡା, ସମ୍ବଲପୁର ଏବଂ ବରଗଡ଼କୁ ଏହି ସତର୍କତା ଜାରି କରାଯାଇଛି। ୭୦ରୁ ୧୧୦ ମି.ମି. ପର୍ଯ୍ୟନ୍ତ ବର୍ଷା ହେବାର ଆକଳନ କରାଯାଉଥିବାବେଳେ ଲଘୁଚାପ ପାଇଁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି। ତେବେ ରାଜ୍ୟରେ ବର୍ତ୍ତମାନ ମୌସୁମୀ ରେଖା ସକ୍ରିୟ ରହିଥିଲେ ସୁଦ୍ଧା ଏବେ ବି ୧୧ ଜିଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଶନିବାର ବିଭିନ୍ନ ଜିଲାରେ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇଥିଲାବେଳେ ପାରଳାଖେମୁଣ୍ଡିରେ ତାପମାତ୍ରା ସର୍ବାଧିକ ୩୩.୫ ଡିଗ୍ରୀ ରେକର୍ଡ କରାଯାଇଛି।

Share