୧୪ରୁ ପୁଣି ବଢ଼ିବ ବର୍ଷା

ଭୁବନେଶ୍ୱର, ୧୧ା୮(ଅସମାପିକା ସାହୁ): ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବାରୁ ବର୍ଷା ଲାଗି ରହିଛି। ଶନିବାର ନୟାଗଡ଼ରେ ସର୍ବାଧିକ ୨୫.୬ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ମାଲକାନଗିରିରେ ୧୩.୪, ସୋନପୁର ୧୨, ବାରିପଦା ୮.୪, ବଲାଙ୍ଗୀର ୮, ଢେଙ୍କାନାଳ ୭.୬ ଓ ରାଉରକେଲାରେ ୪.୮ମିମି ବର୍ଷା ହୋଇଛି। ଆସନ୍ତା ୭ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ତେବେ ରବିବାର ପାଇଁ ବର୍ଷା ନେଇ କୌଣସି ସତର୍କ ସୂଚନା ଜାରି କରାଯାଇ ନ ଥିବାବେଳେ କାଁ ଭାଁ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ୧୪ ତାରିଖରୁ ପୁଣି ବର୍ଷାର ପରିମାଣ ବଢ଼ିବ। କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବାବେଳେ ଆଉ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଥିବା ଶନିବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ୧୪ ତାରିଖରେ ମୟୂରଭଞ୍ଜ, ବାଲେଶ୍ୱର ଏବଂ କେନ୍ଦୁଝରରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ୧୫ ଓ ୧୬ ତାରିଖରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଅର୍ଥାତ୍‌ ୭୦ରୁ ୧୧୦ମିମି ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏହି ଦୁଇଦିନ ସତର୍କ ରହିବା ପାଇଁ କୁହାଯିବା ସହ ୟେଲୋ ଓ୍ବାର୍ନିଂ ଜାରି ହୋଇଛି।

Share