ଗୁଳୁଗୁଳି ଜାରି, ଆଜିଠୁ ବର୍ଷା ବଢ଼ିବ

ଭୁବନେଶ୍ୱର,୩ା୭(ଅନୁରାଧା ମହାରଣା): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସାରା ଦେଶକୁ ଅଗ୍ରସର ହୋଇଛି। ତେବେ ଓଡ଼ିଶାରେ ମୌସୁମୀ ପ୍ରବାହ ଦୁର୍ବଳ ରହୁଥିବାରୁ ଦିନରେ ଆର୍ଦ୍ରତା ଯଥେଷ୍ଟ ଅଧିକ ରହୁଛି। ତେଣୁ ରାଜ୍ୟର ବିଭିନ୍ନ ଜିଲାରେ ଟାଇଁଟାଇଁ ଖରା ସହ ଗୁଳୁଗୁଳି ଅନୁଭୂତ ହେଉଛି। ରବିବାର ୩୯ ଡିଗ୍ରୀ ତାପମାତ୍ରା ସହ ପାରଳାଖେମୁଣ୍ଡି ସବୁଠାରୁ ଉତ୍ତପ୍ତ ସହର ପାଲଟିଥିବାବେଳେ ବାୈଦ୍ଧ ଓ ଛତ୍ରପୁର ୩୮ ଡିଗ୍ରୀ, ମାଲକାନଗିରି ୩୭.୫ ଡିଗ୍ରୀ, ସୋନପୁର ୩୭.୨ ଡିଗ୍ରୀ, ଅନୁଗୋଳ ୩୭.୧ ଡିଗ୍ରୀ ଏବଂ ବଲାଙ୍ଗୀରରେ ୩୭ ଡିଗ୍ରୀ ରହିଥିଲା। ସେହିଭଳି ଆଉ ୧୦ ସ୍ଥାନରେ ତାପମାତ୍ରା ୩୬ ଡିଗ୍ରୀରୁ ୩୭ ଡିଗ୍ରୀ ରହିଥିବାବେଳେ କେତେକ ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରାପଡ଼ା ଜିଲାର ରାଜନଗରଠାରେ ସର୍ବାଧିକ ୭୦ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ସୋମବାରଠାରୁ ବର୍ଷା ପରିମାଣ ବଢ଼ିବ। ତେବେ ୫ ତାରିଖ ସୁଦ୍ଧା ରାଜ୍ୟର ପ୍ରାୟ ସମସ୍ତ ଜିଲାରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ସୂଚନାନୁସାରେ, ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସହ ଜଡ଼ିତ ନିମ୍ନ ଚାପରେଖା ବିକାନେର, ଦୌସା, ଗ୍ବାଆଲିୟର, ସିଦ୍ଧି, ଅମ୍ବିକାପୁର ଓ ବାଲେଶ୍ୱର ଦେଇ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ରହୁଛି। ସାଧାରଣ ଅବସ୍ଥାନଠାରୁ ଦକ୍ଷିଣରେ ରହୁଛି ଓ ବାଲେଶ୍ୱର ଦେଇ ଗତି କରୁଛି। ତେଣୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲାଗୁଡ଼ିକର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ସୋମବାର ପାଇଁ ୧୮ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନୟାଗଡ଼ ଓ ଅନୁଗୋଳ ଜିଲାକୁ ସତର୍କ କରାଯାଇଛି। ତେବେ ୪ ତାରିଖ ବେଳକୁ ବର୍ଷା ବିସ୍ତୃତ ଭାବେ ବର୍ଷିବ। ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ମୟୂରଭଞ୍ଜ, ଅନୁଗୋଳ ଓ ବୌଦ୍ଧ ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବ। ସେହିପରି ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ କନ୍ଧମାଳ, ନବରଙ୍ଗପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

Share