ବର୍ଷା: ଆଜି ୫ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୨ା୧୦(ଅସମାପିକା ସାହୁ):ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗାଙ୍ଗେୟ ଉପତ୍ୟକା, ପଶ୍ଚିମବଙ୍ଗର ପଶ୍ଚିମ ଭାଗ ଓ ସଂଲଗ୍ନ ଝାଡ଼ଖଣ୍ଡର ପଶ୍ଚିମ ଭାଗରେ ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ଧୀରେ ଧୀରେ ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି ଓ ଆସନ୍ତା ୩ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଶନିବାର ରାତିରୁ ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଖୋର୍ଦ୍ଧା ଜଟଣୀରେ ସର୍ବାଧିକ ୧୩୮ମିମି ବର୍ଷା ରେକର୍ଡ କରାଯାଇଥିବା ବଳେ ପୁରୀ ସତ୍ୟବାଦୀରେ ୯୬, କେନ୍ଦ୍ରାପଡ଼ାରେ ୮୭, ଗୋପରେ ୭୫, ନୟାଗଡ଼ ଓଡ଼ଗାଁରେ ୭୩.୭, ଢେଙ୍କାନାଳ ଭୁବନରେ ୬୪, କଟକରେ ୬୩.୪, ନିଶ୍ଚିତକୋଇଲିରେ ୬୩, ଲଖନପୁରରେ ୬୨, ନୟାଗଡ଼ରେ ୬୧ ମିମି ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ସେହିପରି ରବିବାର କେବଳ ଦିନରେ ଚାନ୍ଦବାଲିରେ ସର୍ବାଧିକ ୨୩.୩ ମିମି ବର୍ଷା ରେକର୍ଡ କରାଯାଇଛି। ସୋମବାର ମଧ୍ୟ ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର ଓ ସମ୍ବଲପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ଥିବାରୁ ଏହି ୫ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ସେହିଭଳି ବରଗଡ଼, ସୋନପୁର, ବଲାଙ୍ଗୀର, ଅନୁଗୋଳ, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ମଙ୍ଗଳବାର ଓ ବୁଧବାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯିବା ସହ ୟେଲୋ ଓ୍ବାର୍ନିଂ ଜାରି ହୋଇଛି।

Share