ଆଜିଠୁ କମିବ ବର୍ଷା, ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨।୪(ବ୍ୟୁରୋ): ପଶ୍ଚିମା ଝଡ଼ ପ୍ରଭାବରେ ଶନିବାର ସାରା ରାଜ୍ୟରେ ଝଡ଼ବର୍ଷା ଲାଗି ରହିଛି। ତେବେ ରବିବାରଠାରୁ ବର୍ଷା ଓ କାଳବୈଶାଖୀ ଧୀରେ ଧୀରେ କମିବା ସହ ତାପମାତ୍ରା ବଢ଼ିବ। ବର୍ତ୍ତମାନ ବାୟୁମଣ୍ଡଳରେ ଏକ ନିମ୍ନ ଚାପରେଖା ଦକ୍ଷିଣ ଓଡ଼ିଶାରୁ ବାହାରି ଆଭ୍ୟନ୍ତରୀଣ ତାମିଲନାଡ଼ୁ ଦେଇ ଆନ୍ଧ୍ରପ୍ରଦେଶ ଯାଏ ସମୁଦ୍ର ପତନରୁ ୦.୯ କିମି ଉପରେ ପରିବ୍ୟାପ୍ତ ରହିଛି। ଏହାଫଳରେ କିଛି କିଛି ସ୍ଥାନରେ ହାଲୁକା ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ରବିବାର ମୟୂରଭଞ୍ଜ, କୋରାପୁଟ, ମାଲକାନାଗିରି ଓ ରାୟଗଡ଼ା ଜିଲାରେ ହାଲୁକା ବର୍ଷାର ସମ୍ଭାବନା ଥିବାବେଳେ ସୋମବାର ମାଲକାନାଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଏବଂ ମଙ୍ଗଳବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲାରେ ବର୍ଷା ହେବାର ଆଶଙ୍କା ରହିଛି। ଏଥିସହ ତାପମାତ୍ରା ପର୍ଯ୍ୟାୟକ୍ରମେ ୫ ଡିଗ୍ରୀ ଯାଏ ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଶନିବାର ମାଲକାନଗିରି ଓ ଫୁଲବାଣୀ ବ୍ୟତୀତ ଅନ୍ୟ ଜିଲାଗୁଡ଼ିକରେ ପାରଦ ୩୫ ଡିଗ୍ରୀରୁ କମ୍‌ ରହିଥିଲା। ମାଲକାନଗିରିରେ ସର୍ବାଧିକ ପାରଦ ୩୭ ଡିଗ୍ରୀ ଓ ଫୁଲବାଣୀରେ ଦ୍ବିତୀୟ ସର୍ବାଧିକ ୩୬.୫ ଡିଗ୍ରୀ ଛୁଇଁଥିଲା।

Share