୬ରୁ ବର୍ଷା ପରିମାଣ ବଢ଼ିବ

ଭୁବନେଶ୍ୱର,୫।୭(ଅନୁରାଧା ମହାରଣା): ରାଜ୍ୟରେ ବର୍ତ୍ତମାନ ମୌସୁମୀ ସକ୍ରିୟ ରହିଛି। ପ୍ରାୟ ସମସ୍ତ ଜିଲାରେ ବର୍ଷା ହେଉଛି। କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେଉଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି। ତେବେ ବଙ୍ଗୋପସାଗରରେ ଏବେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଆସନ୍ତା ୬ ତାରିଖରୁ ସାରା ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ୭ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ ଓ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବ। ଏଥିସହ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି। ସୂଚନା ଥାଉକି, ବର୍ତ୍ତମାନ ବାଲାଂଦେଶ ଓ ତା’ର ଆଖପାଖ ଅଞ୍ଚଳ ଦେଇ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ବାୟୁମଣ୍ଡଳରେ ଏକ ଟ୍ରପ୍‌ ଲାଇନ ବି ରହିଛି । ଏହା ପ୍ରଭାବରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆସନ୍ତା ୮ ତାରିଖ ଯାଏ ଏଭଳି ବର୍ଷା ଲାଗି ରହିବ। ଶୁକ୍ରବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଦେବଗଡ଼, ଅନୁଗୋଳ ଓ କେନ୍ଦୁଝର ଆଦି ୬ ଜିଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ୭ ତାରିଖରେ ପ୍ରବଳ ବର୍ଷା ନେଇ ୪ଟି ଜିଲା ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି ଓ କୋରାପୁଟ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ତେବେ ଅନ୍ୟ କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ କରାଯାଇଛି।

Share