କୋହଲା ପାଗକୁ ଝିପିଝିପି ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

କେନ୍ଦୁଝର,୨୪ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରାୟ ଚାରି ଦିନ ହେଲା କୋହଲା ପାଗ କେନ୍ଦୁଝର ଜିଲାରେ ଲାଗି ରହିଥିବା ବେଳେ ଝିପିଝିପି ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ବର୍ଷା ଯୋଗୁ ଶୀତର ପ୍ରକୋପ ବଢ଼ି ଯାଇଛି। ରାସ୍ତାଘାଟରେ ଜନ ସମାଗମ କମ୍‌ ଦେଖିବାକୁ ମିଳିଛି। ସାଧାରଣ ଲୋକମାନେ ଘରୁ ପଦାକୁ ବାହାରିବା କଷ୍ଟକର ହୋଇପଡ଼ିଛି।  ବିଶେଷ କରି ବୃଦ୍ଧାବୃଦ୍ଧ, ରୋଗୀ ତଥା ଗରିବ ଲୋକମାନେ ବେଶୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଚାଷୀମାନେ ସେମାନଙ୍କ ଖଳା ତଥା ମଣ୍ଡିରେ ଥିବା ଧାନକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ୫ଟି ସଚିବଙ୍କ କେନ୍ଦୁଝର ଜିଲା ଗସ୍ତରେ ଆସୁଥିବା ନେଇ ବ୍ୟାପକ ପ୍ରସ୍ତୁତି ଅନୁଷ୍ଠିତ ହୋଇଥିଲେ ହେଁ ବର୍ଷା କାରଣରୁ ସ୍ଥଗିତ ହୋଇଯାଇଛି। ୨୮ ତାରିଖରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ସକାଳୁ ଗ୍ରାମାଞ୍ଚଳ ତଥା ପାହାଡ଼ିଆ ଅଞ୍ଚଳରୁ ଜଙ୍ଗଲ ଉତ୍ପାଦିତ ଫଳମୂଳ, ପନିପରିବା, କାଠପତ୍ର, ସୋଲା ଗଛ ଆଦି ଧରି ଆସିଥିବା ବନବାସୀ ଓ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ବିକ୍ରିବଟା ମାନ୍ଦା ହୋଇ ଯାଇଥିବାରୁ ନିରାଶରେ ଫେରିଛନ୍ତି।