କେନ୍ଦୁଝର, ୧୪।୧୧ (ସ୍ବ.ପ୍ର.) କେନ୍ଦୁଝର ଜିଲାରେ ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇଛି। ପାଚିଲା ଧାନ ନଷ୍ଟ ହେବାକୁ ବସିଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଧାନ ପାଚି ଯାଇଥିବାରୁ ଚାଷୀ ମାନେ ତର ତର ହୋଇ ଧାନ କାଟି ବିଲରେ ରଖିଛନ୍ତି। ଚଳିତ ବର୍ଷ ଭଲ ଧାନ ହୋଇଥିବା ନେଇ ହଜାର ହଜାର ଚାଷୀ ଆଶା ବାନ୍ଧି ରଖିଥିବା ବେଳେ ଏଭଳି ବର୍ଷା ସେମାନଙ୍କ ଆଶା ଅଶଙ୍କା ଧୋଇ ହୋଇଯାଇଛି। ମୂଲିଆ ମିଳି ନ ଥିବାରୁ ଅନେକ ଚାଷୀ ଖଳାକୁ ଆଣି ପାରିନାହାନ୍ତି। ଏଭଳି ସମୟରେ ଅଦିନିଆ ବର୍ଷା ଯୋଗୁ ଧାନ ଫସଲ ପାଣିରେ ଭିଜି ଯାଇଥିବାରୁ ଗଜା ହେବା ଆଶଙ୍କା ନେଇ ଚିନ୍ତାରେ ଚାଷୀ ରହିଛନ୍ତି। ଏଭଳି ବର୍ଷା ଜାରି ରହିଲେ ସମସ୍ତ ଧାନ ନଷ୍ଟ ହୋଇଯିବ ବୋଲି ଗମ୍ଭାରିଆ ନିବାସୀ ଅଲେଖ ଚନ୍ଦ୍ର ପାତ୍ର କହିଛନ୍ତି। ଏଣେ ହାତୀ ଉପଦ୍ରବ ଯୋଗୁ ଧାନ ଫସଲ ନଷ୍ଟ ହେଉଥିବାରୁ ଚାଷୀ କ୍ଷତିଗ୍ରସ୍ତ ହେଉଥିବା ବେଳେ ତେଣେ ଅଦିନିଆ ବର୍ଷା ଚାଷୀଙ୍କ ଆର୍ଥିକ ସ୍ଥିତି କୁ ଦୋହଲାଇ ଦେଇଛନ୍ତି। ଏଣୁ କୃଷି ବିଭାଗ ଏହି କ୍ଷୟକ୍ଷତି ଉପରେ ନଜର ରଖି କ୍ଷତିପୂରଣ ଆକଳନ କରି ଦେବାକୁ ଚାଷୀ ନେତା କୀର୍ତ୍ତନ ଜେନା ଦାବି କରିଛନ୍ତି।