Categories: ଖେଳ

ଯୁବରାଜଙ୍କ ଘରେ ପଶିଲା ବର୍ଷା ପାଣି; ଦେଖନ୍ତୁ ଭିଡ଼ିଓ

ମୁମ୍ବାଇ, ୬।୮: ଲଗାଣ ବର୍ଷା କାରଣରୁ ଦେଶର ଅନେକ ସହରର ଅବସ୍ଥା ବେହାଲ୍‌ ହୋଇଯାଇଛି। ବିଶେଷ କରି ମୁମ୍ବାଇରେ ବର୍ଷା ଯୋଗୁ ସ୍ଥିତି ଅତି ଗମ୍ଭୀର ହୋଇଛି। ସହରର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇ ରହିଥିବାରୁ ଲୋକ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭାରତୀୟ ହକି ଦଳର ଅଭିଜ୍ଞ ଖେଳାଳି ଯୁବରାଜ ବାଲ୍ମିକୀ ମଧ୍ୟ ବର୍ଷାପାଣି ସମସ୍ୟାରୁ ବାଦ୍‌ ପଡ଼ିନାହାନ୍ତି। ମେରାଇନ୍‌ ଲାଇନ୍ସ ଅଞ୍ଚଳରେ ଏକ ଫ୍ଲାଟ୍‌ର ତଳ ମହଲାରେ ଯୁବରାଜ ରୁହନ୍ତି। କିନ୍ତୁ ବୁଧବାର ଦିନ ତମାମ ଲଗାଣ ବର୍ଷା ଯୋଗୁ ତାଙ୍କ ଘର ଭିତରକୁ ପାଣି ପଶିଯାଇଥିଲା। ଏହାପରେ ଯୁବରାଜ ଘରେ ବର୍ଷା ପାଣି ପଶିଥିବାର ଏକ ଭିଡିଓ ତାଙ୍କ ଟୁଇଟର୍‌ ପୃଷ୍ଠାରେ ପୋଷ୍ଟ କରିଥିଲେ। ୨୮ ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଭାରତୀୟ ହକି ଦଳର ଏହି ଷ୍ଟ୍ରାଇକର ଗୋଟିଏ ରେନକୋର୍ଟ ପିନ୍ଧି ଘରର ତାଙ୍କ ଡ୍ରଇଂ ରୁମ୍‌ରେ ପଶିଯାଇଥିବା ପାଣିକୁ ବାହାର କରୁଛନ୍ତି। ୪ ଘଣ୍ଟା ଧରି ପାଣି ନିଷ୍କାସନ କରିବାକୁ ଚେଷ୍ଟା ଚଳାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା ବୋଲି ଯୁବରାଜ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଏଥିସହ ସେ ବ୍ରିହାନମୁମ୍ବାଇ ମୁନିସିପାଲ କର୍ପୋରେସନ ଓ ମହାରାଷ୍ଟ୍ର ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କ ସହାୟତା ଲୋଡ଼ିଛନ୍ତି। ବର୍ଷାଜଳ ପଶିବା ପୂର୍ବରୁ ଯୁବରାଜ ତାଙ୍କ ଅନେକ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଖେଳ ସାର୍ଟିଫିକେଟ ଓ ଟ୍ରଫି ଆଦିକୁ ନେଇ କାର୍‌ ଡିକିରେ ସୁରକ୍ଷିତ ଭାବେ ରଖି ଦେଇଥିଲେ। କିନ୍ତୁ ଅନେକ ସାର୍ଟିଫିକେଟ୍‌କୁ ମଧ୍ୟ ଓଦା ହେବାରୁ ରକ୍ଷା କରିପାରି ନ ଥିଲେ। ୩୦ ବର୍ଷୀୟ ଯୁବରାଜ ୨୦୧୪ରେ ନେଦରଲାଣ୍ଡରେ ଅନୁଷ୍ଠିତ ହକି ବିଶ୍ୱକପ୍‌ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ତାଙ୍କ ଭାଇ ଦେବୀନ୍ଦର ବାଲ୍ମିକୀ ମଧ୍ୟ ଦେଶ ପକ୍ଷରୁ ଖେଳିଛନ୍ତି।