ଏମ୍‌ସିଏଲ୍‌ କୋଇଲା ଖଣି ଜଳାର୍ଣ୍ଣବ : ଉତ୍ପାଦନ ବାଧାପ୍ରାପ୍ତ

ଝାରସୁଗୁଡ଼ା ଅଫିସ,୫ା୭: ଝାରସୁଗୁଡ଼ା ଜିଲାରେ ମୌସୁମୀ ବର୍ଷା ୧ ସପ୍ତାହ ହେଲା ଆରମ୍ଭ ହୋଇଛି। ଏପରିକି ବର୍ଷାଜଳ ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) ଲଖନପୁର କ୍ଷେତ୍ର ବେଲପାହାଡ଼ ଖୋଲାମୁହଁ କୋଇଲାଖଣି ୧ନଂ କ୍ୱାରୀରେ ପ୍ରବେଶ କରିଛି। ଫଳରେ ଖଣି ଅଞ୍ଚଳ ଜଳାର୍ଣ୍ଣବ ହୋଇପଡିଛି। ଏଥିଯୋଗୁ କୋଇଲା ଉତ୍ପାଦନ ବାଧାପ୍ରାପ୍ତ ହୋଇଛି।
ବେଲପାହାଡ଼ ଖୋଲାମୁହଁ କୋଇଲା ଖଣି ସମ୍ପ୍ରସାରଣ ପାଇଁ ଯୋରାବଗା, ଦର୍ଲିପାଲି ଆଦି ବିସ୍ଥାପିତ ଗ୍ରାମ ପ୍ରତିବନ୍ଧକ ସାଜିଥିବା ବେଳେ ଏହାର ସମାଧାନ ହୋଇପାରୁନାହିଁ। ଫଳରେ କର୍ତ୍ତୃପକ୍ଷ କମ୍‌ ଜାଗାରେ ଖଣି ଖନନ କରି କୋଇଲା ଉତ୍ତୋଳନ କରୁଛନ୍ତି। ଗତ ୧ମାସ ହେଲା ଦର୍ଲିପାଲି ଗ୍ରାମ ନିକଟ ଲିଲାରୀ ଯୋର ନିକଟରେ ଖଣି ଖନନ କରାଯାଇ କୋଇଲା ଉତ୍ତୋଳନ ଚାଲିଥିଲା। ରବିବାର ରାତିରେ ପ୍ରବଳ ବର୍ଷା ହେବା ଫଳରେ ଉପର ମୁଣ୍ଡରୁ ଲିଲାରୀ ନାଳ ପାଣି ଆସି ସିଧାସଳଖ କୋଇଲା ଖଣିରେ ପ୍ରବେଶ କରିଛି। ଏହାଦେଖି କର୍ତ୍ତୃପକ୍ଷ ଖଣି ଭିତରେ ଥିବା ବଡ ବଡ ମେଶିନକୁ ବାହାରକୁ ନେଇଆସିଛନ୍ତି। ଖଣି ଅଞ୍ଚଳ ସମ୍ପୂର୍ଣ୍ଣ ବର୍ଷାଜଳରେ ଭରିରହିଥିବାରୁ କୋଇଲା ଉତ୍ତୋଳନ ହୋଇପାରୁନାହିଁ। ଏ ନେଇ ବେଲପାହାଡ ଖୋଲାମୁହଁ କୋଇଲା ଖଣି ପ୍ରକଳ୍ପ ଅଧିକାରୀ ସତ୍ୟଭୂଷଣ ବାରିକ କହିଛନ୍ତି, ବର୍ଷାଜଳ ଭରିଯାଇଥିବାରୁ ଖଣି କାର୍ଯ୍ୟ ଚାଲୁ ନ ଥିଲା ା ଖଣି ଭିତରେ ପ୍ରବେଶ କରିଥିବା ବର୍ଷାଜଳକୁ ପମ୍ପ୍‌ ସାହାଯ୍ୟରେ ବାହାର କରି ପୁଣି ପୂର୍ବଭଳି ଖଣି କାର୍ଯ୍ୟ କରାଯିବ।