ଭୋଟ ଦେଉ ନ ଥିବା ଲୋକଙ୍କ ଟିକସ ବଢ଼ାଯାଉ: ପରେଶ ରାଓ୍ବଲ

ମୁମ୍ବାଇ: ମହାରାଷ୍ଟ୍ରର ୧୩ ଲୋକ ସଭା ଆସନରେ ସୋମବାର ମତଦାନ ଅନୁଷ୍ଠିତ ହୋଇଯାଇଛି। ଗଣତନ୍ତ୍ରର ଏହି ମହାପର୍ବ ଅବସରରେ ମୁମ୍ବାଇରେ ଅନେକ ବଲିଉଡ୍‌ ସେଲିବ୍ରିଟି ନିଜ ମତଦାନର ଅଧିକାରକୁ ସାବ୍ୟସ୍ତ କରିଛନ୍ତି। ବଲିଉଡ୍‌ର ଭେଟେରାନ ଅଭିନେତା ତଥା ପୂର୍ବତନ ଏମ୍‌ପି ପରେଶ ରାୱଲ ମଧ୍ୟ ସୋମବାର ଭୋଟ୍‌ ଦେଇଛନ୍ତି। ଏହି ଅବସରରେ କମ୍‌ ମତଦାନ ହେଉଥିବା ନେଇ ପରେଶଙ୍କୁ କିଛି ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଭୋଟ ଦେଉ ନ ଥିବା ବ୍ୟକ୍ତିଙ୍କ ଉପରେ ବଲିଉଡ୍‌ର ଏହି ବରିଷ୍ଠ ଅଭିନେତା ବିରକ୍ତି ପ୍ରକାଶ କରିଛନ୍ତି। ଯେଉଁମାନେ ଭୋଟ୍‌ ଦେଉନାହାନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି ପରେଶ କହିଛନ୍ତି। ପରେଶ ରାୱଲଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ କହିଛନ୍ତି, ” ଯେଉଁମାନେ ଭୋଟ୍‌ ଦେବାକୁ ଯାଉନାହାନ୍ତି ସେମାନଙ୍କୁ ଦଣ୍ଡ ଦିଆଯିବା ଉଚିତ, ଯାହାଫଳରେ ଲୋକମାନେ ଅଧିକ ସଂଖ୍ୟାରେ ଭୋଟ୍‌ ଦେବାକୁ ଆସିବେ। କିଛି ଲୋକ କହୁଛନ୍ତି ସରକାର କିଛି କରନ୍ତି ନାହିଁ, କିନ୍ତୁ ଏଥିପାଇଁ ଲୋକଙ୍କୁ ଅଧିକ ସଂଖ୍ୟାରେ ଆସି ଭୋଟ ଦେବାକୁ ପଢ଼ିବ। ଯଦି କିଛି ମତଦାତା ଭୋଟ ଦେବେ ନାହିଁ, ତେବେ ସରକାରଙ୍କୁ ପ୍ରଶ୍ନ ପଚାରିବାକୁ ସେମାନଙ୍କର କୌଣସି ମଧ୍ୟ ଅଧିକାର ନାହିଁ। ଯେଉଁମାନେ ଭୋଟ୍‌ ଦେଉ ନାହାନ୍ତି ସେମାନଙ୍କ ଟିକସ ବଢାଇ ଦିଆଯାଉ କିମ୍ବା ସେମାନଙ୍କ ପାଇଁ ଅନ୍ୟ କୌଣସି ଦଣ୍ଡ ବ୍ୟବସ୍ଥା ରହୁ“।

Share