ସକାଳୁ ଉଠାଇଲେ, ସନ୍ଧ୍ୟାରେ ବସିଲେ

କେନ୍ଦୁଝର,୧୪ା୭( ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘ ବର୍ଷ ଧରି କେନ୍ଦୁଝର ସହରରେ ଫୁଟ୍‌ପାଥ୍‌ ଜବରଦଖଲ ଯୋଗୁ ଦେଖାଦେଇଥିବା ଟ୍ରାଫିକ୍‌ ସମସ୍ୟାର ସାମୟିକ ଭାବେ ସମାଧାନ ହୋଇଛି। ବୁଧବାର ଏକ କାଠ ବୋଝେଇ ପିକ୍‌ଅପ୍‌ ଫୁଟ୍‌ପାଥ୍‌ରେ ଚଢ଼ିଯାଇଥିବା ବେଳେ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଯାଇଥିଲା। ଘଟଣା ପରେ ଗୁରୁବାର ପୌର ପ୍ରଶାସନ ପକ୍ଷରୁ ଉଚ୍ଛେଦ ପରେ ରାସ୍ତାରେ ଯାତାୟାତ ସୁବିଧା ହୋଇଛି। ତେବେ ସକାଳୁ ବ୍ୟବସାୟୀଙ୍କୁ ଉଠାଯାଇଥିବା ବେଳେ ସନ୍ଧ୍ୟାରେ ପୁଣି ଫୁଟ୍‌ପାଥରେ ବସି ବ୍ୟବସାୟ କରୁଥିବା ଦେଖିବାକୁ ମିଳିଥିଲା।
ସୂଚନା ଅନୁଯାୟୀ, କେନ୍ଦୁଝରଗଡ଼ ପୌରପାଳିକା ଏବଂ ପୋଲିସ ମିଳିତ ସହଯୋଗରେ ଏହି ଉଚ୍ଛେଦ କରାଯାଇଛି। ବୁଧବାର ପରେ ବି ଗୁରୁବାର ସକାଳେ ଫୁଟ୍‌ପାଥ୍‌ରେ ବସି ପୂର୍ବ ଭଳି ବହୁ ସଂଖ୍ୟାରେ ବେପାରୀ ବିକ୍ରି କରୁଥିଲେ। ଅପରାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ଗାନ୍ଧୀଛକ ଓ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟଠାରୁ ସିରାଜୁଦ୍ଦିନ ଛକ ପର୍ଯ୍ୟନ୍ତ ଫୁଟ୍‌ପାଥ୍‌ ଉପରେ ବସିଥିବା ବେପାରୀ ତଥା ରାସ୍ତାକଡ଼ରେ ଠେଲା ଲଗାଇ ବ୍ୟବସାୟ କରୁଥିବା ଫଳ, ଡ୍ରେସ୍‌, ଜୋତା, ଖାଦ୍ୟ ସାମଗ୍ରୀ ଆଦି ବ୍ୟବସାୟୀଙ୍କୁ ଉଠାଯାଇଥିଲା। ବ୍ୟବସାୟୀମାନଙ୍କୁ କୃଷକ ବଜାର ଏବଂ ଜେଲ ଛକ ରାସ୍ତାରେ ଥଇଥାନ କରାଯାଇଛି। ପ୍ରଥମ ଦିନରେ ୪୦ ବ୍ୟବସାୟୀ ଅନ୍ୟତ୍ର ପଠାଯାଇଛି। ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ମେଡିକାଲ ରାସ୍ତାରେ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି। ଫୁଟ୍‌ପାଥ୍‌ରେ ବ୍ୟବସାୟୀମାନେ ପୁଣି ବସିଲେ ଜରିମାନା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି। ଜବରଦଖଲ ଉଚ୍ଛେଦ ଆଗକୁ ଚାଲୁ ରହିବ ବୋଲି ଟାଉନ ଥାନା ଅଧିକାରୀ ସୁନୀଲ କର ସୂଚନା ଦେଇଛନ୍ତି। ଅନ୍ୟପକ୍ଷେରେ କେତେକ ଦୋକାନ ସମ୍ମୁଖରେ ଥିବା ଜାଗାରେ ଭଡ଼ା ଦେବା ଫଳରେ ବହୁ ଅସ୍ଥାୟୀ ଦୋକାନ ହୋଇଛି। ଫଳରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଛି। ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବରିଷ୍ଠ ସହାୟକ ଦୀପକ ବେହେରା କହିଛନ୍ତି। ମାତ୍ର ସନ୍ଧ୍ୟାରେ ବ୍ୟବସାୟୀ ପୁଣି ଫୁଟ୍‌ପାଥରେ ବସିଥିବା ଦେଖାଯାଇଥିଲା। ସୂଚନାଯୋଗ୍ୟ, ମଙ୍ଗଳବାର ଏକ କାଠ ବୋଝେଇ ପିକ୍‌ଅପ୍‌ ଫୁଟ୍‌ପାଥରେ ଚଢ଼ିଯାଇଥିଲା। ଏଥିରେ ଜଣେ ମହିଳା ବ୍ୟବସାୟୀ ଆହତ ହୋଇଥିଲେ।