କରୋନା ସଚେତନତା ସୃଷ୍ଟି କରୁଛନ୍ତି ଏହି କୁନି ଗଣେଶ, ଛୁଟୁଛି ପ୍ରଶଂସାର ସୁଅ

ନିଶ୍ଚିନ୍ତକୋଇଲି,୨୨ା୮(ସ୍ବ.ପ୍ର.): କରୋନା କଟକଣା ପାଇଁ ଗଣେଶ ପୂଜା ଶିକ୍ଷାନୁଷ୍ଠାନ ଓ ଗ୍ରାମରେ ଏକପ୍ରକାର ଫିକା ପଡ଼ିଯାଇଛି। କିନ୍ତୁ ଛାତ୍ରୀଛାତ୍ର ସିନା ବିଦ୍ୟାଳୟକୁ ଗଲେନି କିନ୍ତୁ ସେମାନେ ବିଦ୍ୟାଦାତା ଗଣପତିଙ୍କୁ ଆରାଧନା କରିବା ସହିତ କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଅଭିନବ ପ୍ରୟାସ କରିଛନ୍ତି। କେଉଁଠି ଅନ୍‌ ଲାଇନରେ ପୂଜା ହେଉଛି ତ ଆଉ କେଉଁଠି ପ୍ରତିଛବି ମାଧ୍ୟମରେ ଚାଲିଛି ପୂଜା।
ସେହିପରି କଟକ ଜିଲା ନିଶ୍ଚିନ୍ତକୋଇଲି ପଞ୍ଚାୟତ ଓଥକା ଗ୍ରାମର ସରୋଜ ମହାପାତ୍ରଙ୍କ ପୁଅ ଓମ୍‌ପ୍ରକାଶ ଗଣେଶ ବେଶ ଧାରଣ କରି କରୋନା ସଚେତନତା ସୃଷ୍ଟି କରୁଥିବାର ଦେଖିବାକୁ ମିଳିଛି। ସେ ୫ମ ଶ୍ରେଣୀର ଛାତ୍ର ଅଟନ୍ତି। କୁନି ଛାତ୍ରଙ୍କ ଏଭଳି ପ୍ରୟାସକୁ ସ୍ଥାନୀୟ ସରପଞ୍ଚ ରବୀନ୍ଦ୍ର ସେଠୀ ଓ ଗ୍ରାମବାସୀ ବେଶ୍‌ ପ୍ରଶଂସା କରିଛନ୍ତି।

Share