ଭୁବନେଶ୍ୱର, ୧୫।୧(କ୍ରୀଡ଼ା ପ୍ରତିନିଧି)-
ଚଳିତ ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ୍)ରେ ନୈରାଶ୍ୟଜନକ ପ୍ରଦର୍ଶନ ସହ ସଂଘର୍ଷ ଜାରି ରଖିଥିବା ଓଡ଼ିଶା ଏଫ୍ସି କ୍ଲବର ନୂଆ ସଭାପତି ହୋଇଛନ୍ତି ରାଜ ଅଥଓ୍ବାଲ। ପୂର୍ବରୁ ସେ ଗ୍ଲାସ୍ଗୋ ରେଞ୍ଜର୍ସ, କୋଭେଣ୍ଟ୍ରି ସିଟି ଏବଂ ଓ୍ବାଟଫୋର୍ଡ କ୍ଲବ ସହିତ କାମ କରିବାର ୨୫ ବର୍ଷର ଅଭିଜ୍ଞତା ରଖିଛନ୍ତି। ଶୀର୍ଷସ୍ଥାନୀୟ ବ୍ରିଟିଶ୍ ଫୁଟବଲ କ୍ଲବ ସହିତ କାର୍ଯ୍ୟକାଳ ଅବସରରେ ସେ ବ୍ରେଣ୍ଡନ ରୋଜର୍ସ, ଗର୍ଡନ ଷ୍ଟ୍ରାଚାନ, ସିଅନ ଡିକେ, ଆଲି ମ୍ୟାକ୍କୋଇଷ୍ଟ, ଗ୍ୟାରୀ ମ୍ୟାକଆଲିଷ୍ଟର, ପିଟର ରିଡ୍, ରବ୍ ପେଜ୍, ନିଗେଲ କ୍ଲଗ୍ଙ୍କ ପରି ପ୍ରତିଷ୍ଠିତ କୋଚ୍ଙ୍କ ସହିତ କାର୍ଯ୍ୟ କରିଛନ୍ତି। ଓଡ଼ିଶା ଏଫ୍ସିକୁ ଆର୍ଥିକ ଦୃଷ୍ଟିକୋଣରୁ ଦୃଢ଼ ଏବଂ ଲାଭବାନ କରିବା ଦିଗରେ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ଅଥଓ୍ବାଲ ନୂଆ ସଭାପତି ହୋଇଥିବାରୁ ଖୁସି ଜାହିର କରିଛନ୍ତି କ୍ଲବ ସିଇଓ ରୋହନ ଶର୍ମା। ୟୁକେରେ ଅନେକ ପ୍ରତିଷ୍ଠିତ କ୍ଲବ ସହିତ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଥିବାରୁ ତାଙ୍କ ଉପସ୍ଥିତି ଓଡ଼ିଶା ଏଫ୍ସି କ୍ଲବକୁ ଫାଇଦାରେ ରଖିବ ବୋଲି ରୋହନ ଆଶା ପ୍ରକାଶ କରିଛନ୍ତି।