ନୂଆଦିଲ୍ଲୀ, ୨୦ା୧୨: ଜୀବନରେ କେବେ ବି କୌଣସି ଅଶ୍ଳୀଳ ଫିଲ୍ମ ନିର୍ମାଣ କିମ୍ବା ଏହାର ପ୍ରସାର କରି ନ ଥିବା କହିଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା। ସୋମବାର ଏକ ବିବୃତିରେ କୁନ୍ଦ୍ରା କହିଛନ୍ତି, ତାଙ୍କ ନୀରବତାକୁ ଦୁର୍ବଳତା ବୋଲି ଭାବିବା ଠିକ୍ ନୁହେଁ। ସେ ଏପରି କାମ କେବେ କରିନାହାନ୍ତି। ତାଙ୍କୁ ଫସାଇବା ପାଇଁ ଚକ୍ରାନ୍ତ ହୋଇଛି। ମାମଲା ଏବେ ବିଚାରଧୀନ ରହିଥିବାରୁ ଏ ବିଷୟରେ ବିସ୍ତୃତ ତଥ୍ୟ ରଖିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ମିଡିଆରେ ତାଙ୍କୁ ସିଧାସଳଖ ଦୋଷୀ ଆଖ୍ୟା ଦିଆଯାଇସାରିଛି। କିନ୍ତୁ ନ୍ୟାୟପାଳିକା ଉପରେ ତାଙ୍କର ବିଶ୍ୱାସ ଅଛି। ସେ ଯେ କୌଣସି ପ୍ରକାର ତଦନ୍ତର ସାମ୍ନା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ତେଣୁ ମିଡିଆ ଟ୍ରାଏଲ ବନ୍ଦ କରାଯାଉ ଏବଂ ତାଙ୍କ ବ୍ୟକ୍ତିଗତ ଜୀବନରେ କେହି ହସ୍ତକ୍ଷେପ ନ କରନ୍ତୁ ବୋଲି କୁନ୍ଦ୍ରା କହିଛନ୍ତି। ସୂଚନାଯୋଗ୍ୟ ପର୍ନ ଫିଲ୍ମ ମାମଲାରେ ଗତ ଜୁଲାଇରେ କୁନ୍ଦ୍ରାଙ୍କୁ ଗିରଫ କରାଯାଇଥିଲା। ପରେ ସେ ଜାମିନରେ ମୁକୁଳିଥିଲେ।