ରାଜ କୁନ୍ଦ୍ରାଙ୍କ ପର୍ନୋଗ୍ରାଫି ମାମଲାରେ ୪ ଅଭିଯୁକ୍ତ ଗିରଫ

ମୁମ୍ବାଇ, ୨୨।୨: ବଲିଉଡ୍‌ର ଫିଟ୍‌ନେସ୍‌ କୁଇନ୍‌ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ପର୍ନୋଗ୍ରାଫି ମାମଲାରେ ଏପର୍ଯ୍ୟନ୍ତ ପୋଲିସର ତଦନ୍ତ ଜାରି ରହିଛି। ବର୍ତ୍ତମାନ ଏହି ମାମଲାରେ ଆଉ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ଟିମ୍‌ର ଜଣେ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ତେବେ ସୋମବାର ଗିରଫ ହୋଇଥିବା ୪ ଜଣଙ୍କ ମଧ୍ୟରେ ଜଣେ କାଷ୍ଟିଂ ନିର୍ଦ୍ଦେଶକ ମଧ୍ୟ ସାମିଲ ଅଛନ୍ତି। ସମସ୍ତଙ୍କୁ ଭର୍ସୋବା ଓ ବୋରିଭାଲୀ ଅଞ୍ଚଳରୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ଗତ ବର୍ଷ ପର୍ନୋଗ୍ରାଫି ମାମଲାରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଥିଲା। ସେ ପ୍ରାୟ ୩ ମାସ ଜେଲ୍‌ରେ ରହିବା ପରେ ସେପ୍ଟେମ୍ବରରେ ଜାମିନରେ ମୁକୁଳିଥିଲେ। ତେବେ ରାଜ କୁନ୍ଦ୍ରା ଜେଲରୁ ମୁକ୍ତ ହେବାର ୪ ମାସ ପରେ ବର୍ତ୍ତମାନ ଏହି ମାମଲା ସହ ଜଡିତ ଆଉ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ଟିମ୍‌। ସୂଚନା ମୁତାବକ, ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ୩ଜଣ ୱେବ ସିରିଜ ସୁଟିଂ ସମୟରେ ଜଣେ ଅଭିନେତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏଥିରେ କାଷ୍ଟିଂ ନିର୍ଦ୍ଦେଶକ ମଧ୍ୟ ସାମିଲ ରହିଥିବା ଜଣାପଡ଼ିଛି।

Share