ବେଙ୍ଗାଲୁରୁ,୮।୫: କର୍ନାଟକ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ମାହୋଲ ସେତିକି ସରଗରମ ହେଉଛି । ତେବେ ପ୍ରଥମ ଥର ଉକ୍ତ ନିର୍ବାଚନରେ ମରାଠୀ ପ୍ରସଙ୍ଗକୁ ନେଇ ରାଜ ଠାକରେ ଏବଂ ଉଦ୍ଧବ ଠାକରେଙ୍କ ଦଳ ଗୋଟିଏ ମଞ୍ଚରେ ନଜର ଆସିଛନ୍ତି। ମହାରାଷ୍ଟ୍ର ଏକୀକରଣ ସମିତି(ଏମ୍ଇଏସ୍)କୁ ଉଭୟ ଦଳ ସମର୍ଥନ କରଥିବା ଜଣାପଡ଼ିଛି। ସୋମବାର ଏମ୍ଏନ୍ଏସ୍ ମୁଖ୍ୟ ରାଜ ଠାକରେ ଏକ ଟୁଇଟ କରି ଲୋକଙ୍କୁ ଏମ୍ଇଏସ୍ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, କର୍ନାଟକ ବିଧାନସଭା ନିର୍ବାଚନ ଆସନ୍ତା ୧୦ରେ ହେବାକୁ ଯାଉଛି। ମହାରାଷ୍ଟ୍ର ଏକୀକରଣ କମିଟିର ପ୍ରାର୍ଥୀଙ୍କୁ ଏକଜୁଟ ହୋଇ ମତଦାନ କରିବାକୁ ସୀମାନ୍ତ ଅଞ୍ଚଳର ମରାଠୀ ଭାଇ ଓ ଭଉଣୀମାନଙ୍କୁ ରାଜ ଠାକରେ ନିବେଦନ କରିଛନ୍ତି। ଏଥିସହ ସେ ଟୁଇଟ କରି କହିଛନ୍ତି, ଅନ୍ୟ ଦଳର ପ୍ରାର୍ଥୀମାନେ ମରାଠୀ ହୋଇପାରନ୍ତି, କିନ୍ତୁ ନିର୍ବାଚିତ ହେବା ପରେ ସେମାନେ ମରାଠୀ ଭାଷାର ସ୍ବର ଚପାଇବା ସହ ସୀମାବର୍ତ୍ତୀ ଅଞ୍ଚଳରେ ମରାଠୀବାସୀଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ବିଧାନସଭାରେ ମୁହଁ ଖୋଲିବେ ନାହିଁ। ସେ ଆହୁରି କହିଛନ୍ତି, ମୁଁ ଦୃଢ଼ ଭାବେ ବିଶ୍ୱାସ କରେ ଯେ, ନିଜେ ନିଜ ରାଜ୍ୟର ଭାଷା ଓ ସଂସ୍କୃତିକୁ ସମ୍ମାନ ଦେବା ଉଚିତ୍। ବହୁ ପିଢ଼ି ଧରି ସୀମାନ୍ତ ଅଞ୍ଚଳରେ ରହୁଥିବା ଭାଇମାନେ ଏଠାରେ କନ୍ନଡ ଭାଷା ଏବଂ ସଂସ୍କୃତିକୁ ସମ୍ମାନ ଦେଇଛନ୍ତି। ତଥାପି ଯଦି ସେଠାକାର ସରକାର ମରାଠୀ ଲୋକଙ୍କୁ ହଇରାଣ କରନ୍ତି କିମ୍ବା ମରାଠୀ ଭାଷାର ସ୍ବର ଚପାଇବାକୁ ଚେଷ୍ଟା କରନ୍ତି ତେବେ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ରାଜ କହିଛନ୍ତି।