ଜମିଲାଣି ରଜ ଉତ୍ସାହ

ପାଖେଇ ଆସୁଛି ରଜ। ପିଠାପଣାରେ ମହକିବ ଗାଁଠୁ ସହର। ଝିଅ, ବୋହୂମାନେ ନୂଆ ନୂଆ ପୋଷାକ ପିନ୍ଧି ହାତରେ ମେହେନ୍ଦି, ଗୋଡ଼ରେ ଅଳତା ଲଗାଇ ସଜେଇ ହେବେ। ବିଭିନ୍ନ ସ୍ଥାନରେ ଚାଲିବ ରଜ ମହୋତ୍ସବ। ସାଂସ୍କୃତିକ ସା ସହ ରଜ ପାନ, ପିଠାମିଠା ଖାଇ ପାଳନ କରିବେ ସଭିଏ। ଏଥିପାଇଁ ଏବେଠୁ ଉତ୍ସାହ ଦେଖିବାକୁ ମିଳୁଛି। ରାଜଧାନୀ ଭୁବନେଶ୍ୱର ସମେତ ସବୁଠି ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି। ୟୁନିଟ୍‌-୨ ମାର୍କେଟ ବିଲ୍ଡିଂଠୁ ନେଇ ବଡ଼ ବଡ଼ ଶପିଂ ମଲ୍‌ରେ ଭିଡ଼ ଲାଗି ରହିଛି। ମଲ୍‌ ସାମ୍ନାରେ ଦୋଳି ଲାଗିଛି। ସବୁବର୍ଷ ପରି ଏଥର ମଧ୍ୟ ଶପିଂ ମଲ୍‌ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଛି। ସେପଟେ ଭଲ ବେପାର ପାଇଁ ସିନେମା ହଲ୍‌ ମାଲିକମାନେ ଆଶାବାନ୍ଧି ବସିଥିବାବେଳେ ଏଥର ପ୍ରେକ୍ଷାଳୟରେ ରାଜ୍‌ କରିବ ୩ ଓଡ଼ିଆ ସିନେମା। ସେହିପରି ହୋଟେଲ, କ୍ଲବ୍‌ ସମେତ ବିଭିନ୍ନ ବେସରକାରୀ ଅନୁଷ୍ଠାନ ପକ୍ଷରୁ ରଜ ମହୋତ୍ସବ ପାଳନ କରାଯିବ। ସାଂସ୍କୃତିକ ସାରେ ମନୋରଞ୍ଜନ କରିବେ କଳାକାର।

ଦୋଳିଖେଳ ପ୍ରତି ଆଗ୍ରହ କମୁଛି

ରଜ କହିଲେ ଦୋଳି ଖେଳକୁ ବୁଝାଏ। ମାତ୍ର ଏବେ ବୃକ୍ଷ ଯେଉଁଭଳି ଭାବେ କଟା ଯାଉଛି ଦୋଳି ଖେଳିବା ପାଇଁ ବଡ଼ ବଡ଼ ଗଛ ରହୁନାହିଁ। ସେ ଦୋଳିର ସ୍ଥାନ ଏବେ ପ୍ଲାଷ୍ଟିକ ଦୋଳି ନେଉଛି। କିଛି କିଛି ସ୍ଥାନରେ ପଟା ଦୋଳି ଲଗାଯାଇ ତାହାକୁ ଫୁଲ ଦ୍ୱାରା ଆକର୍ଷିତ ଢଙ୍ଗରେ ସଜାଯାଉଛି। ମାତ୍ର ସମୟ ବଦଳିବା ସହ ପୂର୍ବର ଦୋଳି ଖେଳର ମଜା ଆଉ ଆଗ ଭଳି ନାହିଁ। ସେହିଭଳି ଖାଳି ଦୋଳିରେ ବସି ଫଟୋ ପାଇଁ ଆଗଭର ହେଉଛନ୍ତି ଆଜିର ପିଢ଼ି। ଦୋଳିରେ ଟିକେ ବସିବା ପାଇଁ ହେଉଥିବା ଝଗଡ଼ାର ମଜା ବିଆ ଆଜି ଆଉ ନାହିଁ।

ସରୁନି ଶପିଂ, ବଢ଼ୁଛି ଭିଡ଼

ରଜ ପାଇଁ ଏବେ ଲୋକେ କିଣାକିଣିରେ ଲାଗି ପଡିଛନ୍ତି। ଏଥିପାଇଁ ବଜାରରେ ସକାଳୁ ରାତି ଯାଏ ଅସମ୍ଭାଳ ଭିଡ଼ ହେଉଛି। ଭିଡ଼ ଭିତରେ କିଣାକିଣି କରିବା କଷ୍ଟକର ହେଉଥିଲେ ମଧ୍ୟ ନିଆରା ଆନନ୍ଦ ମିଳୁଛି। ଏପରିକି ବହୁ ଲୋକ ମନ ପସନ୍ଦିଆ ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ ପାଇଁ ବାରମ୍ବାର ବଜାରକୁ ଯାଉଥିବା ଦେଖିବାକୁ ମିଳୁଛି। ଦିନ ସରୁଥିଲେ ମଧ୍ୟ ଶପିଂ ସରୁନି। ମାର୍କେଟ ବିଲ୍ଡିଂଠୁ ନେଇ ଶପିଂ ମଲ୍‌ ପର୍ଯ୍ୟନ୍ତ ସବୁଠି ଭିଡ଼ ଜମୁଛି। ପ୍ରାୟ ସବୁଠି ରଜ ପାଇଁ ଭଲ ରିହାତି ରହିଛି।

ପ୍ରସ୍ତୁତ ହେଲେଣି ମିଠା, ପିଠା ଦୋକାନୀ
ପିଠା ଓଡ଼ିଆଙ୍କ ମନର ଆବେଗ। ପିଠାର ସ୍ବତନ୍ତ୍ରତା ନିଆରା। ରଜ ଆସିଲେ ପିଠା କଥା ମନକୁ ଆଗ ଆସେ। ଏଥିସହ ରଜରେ ମିଠାର ଚାହିଦା ମଧ୍ୟ ବଢ଼ିଯାଏ। ସେଥିପାଇଁ ରାଜଧାନୀ ରାସ୍ତାରେ ଛୋଟଠୁ ବଡ଼ ମିଠା ଓ ପିଠା ଦୋକାନୀ ଗ୍ରାହକଙ୍କୁ ଆକର୍ଷିତ କଲାଭଳି ରଜ ପିଠା ଓ ମିଠା ପ୍ରସ୍ତୁତି ପାଇଁ ଲାଗିପଡିଲେଣି। ଏପରିକି ରଜରେ ପିଠା ଖାଇବା ପାଇଁ ଆଗୁଆ ବରାଦ ଆସିଲାଣି ପିଠା ଦୋକାନୀଙ୍କୁ। ପୋଡ଼ପିଠା, କ୍ଷୀର ପୋଡ଼ପିଠା, କାକରା, ଛଣା ମଣ୍ଡା, ଚକୁଳି, ଚନ୍ଦ୍ରକାନ୍ତି, ମଣ୍ଡା, ଏଣ୍ଡୁରି ସହ ନୂଆ ଭେରାଇଟି ପିଠା ତିଆରି ପାଇଁ ଦୋକାନୀମାନେ ପ୍ରସ୍ତୁତ ହେଉଥିବା ଜଣାପଡିଛି।