ରଜରେ ରଜବତୀ ବିବାହ ଅନୁଷ୍ଠିତ

କେନ୍ଦୁଝର,୧୬ା୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ସମଗ୍ର ଜିଲାରେ ରଜ ପର୍ବ ଧୂମଧାମରେ ପାଳିତ ହେଉଥିବା ବେଳେ ଏହି ଦିନରେ ରଜବତୀ ବିଭାଘର ପ୍ରମୁଖ ଆକର୍ଷଣୀୟ ହୋଇଛି । ଜିଲାର ସଦର ବ୍ଲକ ଅନ୍ତର୍ଗତ ହର୍ଷପୁର ଗ୍ରାମରେ ରଜବତୀ ବିଭାଘର ନିଆରା । ରଜ ଦୋଳି ସାଙ୍ଗକୁୁ ରଜବତୀ ବିବାହର ନିଆରା ପରମ୍ପରା ୧୯୭୨ ମସିହାରୁ ଚାଲି ଆସୁଛି। ସ୍ଥାନୀୟ ଅଞ୍ଚଳବାସୀମାନେ ଏହାକୁ ଧୁମଧାମରେ ପାଳନ କରିଥାନ୍ତି। ଚଳିତ ବର୍ଷ ରଜବତୀଙ୍କ ପିତା ରଞ୍ଜନ ନାଏକ ଓ ବର ପିତା ମେଘୁଆ ନାଏକ ଏହି ବିଭାଘର ପରିଚାଳନା କରୁଥିବାବେଳେ ତୃତୀୟ ରଜ ଦିନ ଏହି ବିଭାଘର ସମ୍ପନ୍ନ ହୋଇଥାଏ । ଏଥିପାଇଁ ଗ୍ରାମ ମୁଣ୍ଡରେ ହୋଇଥାଏ ଆୟୋଜନ।
ରଙ୍ଗ ବେରଙ୍ଗ ଆଲୋକ ସଜା ସାଙ୍ଗକୁ ଆକର୍ଷଣୀୟ ତୋରଣ ଲଗାଯାଇଥାଏ । ବାହାଘର ସମ୍ପନ୍ନ ପାଇଁ ବେଦି ନିର୍ମାଣ ହୋଇଥାଏ । ବର ଦଳ ପାରମ୍ପାରିକ ବ୍ୟାଣ୍ଡ ବଜାଇ ଶୋଭାଯାତ୍ରାରେ ଆସିଥାନ୍ତି । ମଣ୍ଡପରେ ବିଭାଘର ସମ୍ପନ୍ନ ହୋଇଥାଏ । ଭୋଜିଭାତ ର ଆୟୋଜନ ହୋଇଥାଏ । ଗ୍ରାମର ସମସ୍ତେ ଭାଇଚାରାର ମନୋଭାବ ରଖି ଏହାକୁ ଧୁମଧାମରେ ପାଳନ କରିଥାନ୍ତି ।