Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ନିବେଦନ: ଦୟାକରି ମୋ ପାଇଁ ବସୁନ୍ଧରା ରାଜେଙ୍କୁ ନ ଦିଆଯାଉ

ଜୟପୁର,୨୦।୧୦: ରାଜସ୍ଥାନ ବିଧାନସଭା ନିର୍ବାଚନ ଘୋଷଣା ପରେ ରାଜନୈତିକ ଦଳ ମଧ୍ୟରେ ବାକ୍‌ଯୁଦ୍ଧ ତୀବ୍ର ହୋଇଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ ଭାଜପାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କ ପକ୍ଷପାତିତା ନେଇ ଦଳକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ୨୦୧୮ରେ କଂଗ୍ରେସ ସରକାର ଗଠନ ପରେ ୨୦୨୦ରେ ଏହାକୁ ହଟାଇବାକୁ ଚେଷ୍ଟା କରାଯାଇଥିଲା, ଯାହାକୁ ବସୁନ୍ଧରା ରାଜେ ବିରୋଧ କରିଥିଲେ। ଏହି କାରଣରୁ ଭାଜପା ତାଙ୍କୁ ଅଲଗା କରୁଛି।
ଗେହଲଟ କହିଛନ୍ତି, ବସୁନ୍ଧରା ରାଜେଙ୍କୁ ନେଇ ଭାଜପାର ଆଭିମୁଖ୍ୟ ହେଉଛି ସେମାନଙ୍କର ଆଭ୍ୟନ୍ତରୀଣ ବିଷୟ କିନ୍ତୁ ମୁଁ କହିବାକୁ ଚାହେଁ ଯେ ଦୟାକରି ମୋ ପାଇଁ ବସୁନ୍ଧରାଙ୍କୁ ଦଣ୍ଡ ଦିଅନ୍ତୁ ନାହିଁ।
ଏହା ପଛରେ ଥିବା କାରଣ ସମ୍ପର୍କରେ ସେ କହିଛନ୍ତି, ଜୁଲାଇ ୨୦୨୦ରେ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ (କଂଗ୍ରେସ ନେତା)ଙ୍କ ନେତୃତ୍ୱରେ ୨୨ ଜଣ ବିଧାୟକ ବିଦ୍ରୋହ ଆରମ୍ଭ କରିଥିଲେ। ତେବେ ପରିସ୍ଥିତିକୁ ନିୟନ୍ତ୍ରଣକୁ ନିଆଯାଇଥିଲା ଏବଂ ଶେଷରେ ବିଦ୍ରୋହୀ ବିଧାୟକମାନେ ସରକାରଙ୍କୁ ସମର୍ଥନ ଜାରି ରଖିଥିଲେ। ଏହି ବିଦ୍ରୋହ ଏବଂ ସରକାରକୁ ହଟାଇବା ପାଇଁ ଷଡଯନ୍ତ୍ର ଭାଜପା ବ୍ୟତୀତ ଅନ୍ୟ କେହି କରି ନ ଥିଲେ। କିନ୍ତୁ ରାଜ୍ୟର ଦଳର ଦୁଇ ବଡ ନେତା ବସୁନ୍ଧରା ରାଜେ ଏବଂ କୈଳାଶ ମେଘୱାଲ ସରକାରଙ୍କୁ ହଟାଇବାକୁ ସମର୍ଥନ କରି ନ ଥିଲେ। ସମ୍ଭବତଃ ଏହି କାରଣରୁ ବସୁନ୍ଧରା ରାଜେଙ୍କୁ ଦଳରୁ ଦୂରେଇ ରଖାଯାଉଛି।

Share