Categories: ଜାତୀୟ

ରାଜସ୍ଥାନ ଲାଗି କଂଗ୍ରେସ ଜାରି କଲା ଚତୁର୍ଥ ପ୍ରାର୍ଥୀ ତାଲିକା: ନୂଆଙ୍କ ଉପରେ ଭରସା, କିଛି ବିଧାୟକଙ୍କ ଟିକେଟ କଟିଲା…

ଜୟପୁର,୩୧।୧୦: ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ଏହି ତାଲିକାରେ ୫୬ ନାମକୁ ନେଇ ଘୋଷଣା ରହିଛି। ସେମାନଙ୍କ ମଧ୍ୟରୁ ୨୦ ନୂଆ ଚେହେରା ଥିବା ବେଳେ ୮ ବିଧାୟକଙ୍କ ଟିକେଟ କଟିଛି। ପୂର୍ବରୁ କଂଗ୍ରେସ ୯୫ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ଚତୁର୍ଥ ତାଲିକା ଆସିବା ପରେ କଂଗ୍ରେସ ରାଜସ୍ଥାନରେ ଏଯାବତ ୧୫୧ ପ୍ରାର୍ଥୀଙ୍କ ନାମ ଉପରେ ମୋହର ଲଗାଇଛି। ଏବେ ରାଜ୍ୟରେ ମାତ୍ର ୪୯ ସିଟ୍‌ରେ ଦଳ ପ୍ରାର୍ଥୀ ଦେବା ବାକି ରହିଛି।
ପ୍ରକାଶ ଯେ, ଗତ ଦୁଇ ଦିନ ଧରି ରାଜସ୍ଥାନରେ ବାକି ଥିବା ସିଟ୍‌ରେ ପ୍ରାର୍ଥୀଙ୍କ ନାମ ଉପରେ ମୋହର ଲଗାଯିବା ଲାଗି ବୈଠକ ହେଉଛି। ସୋମବାର ରାତିରେ ଏନେଇ ଆଲୋଚନା କରାଯାଇଥିଲା। ମଙ୍ଗଳବାର ହୋଇଥିବା ସିଇସି ବୈଠକ ପରେ ଏବେ ଏହି ପ୍ରାର୍ଥୀଙ୍କ ତାଲିକା ଘୋଷଣା କରାଯାଇଛି।
କେଉଁଠାରୁ କିଏ ଟିକେଟ ପାଇଲା?
କଂଗ୍ରେସର ଚତୁର୍ଥ ତାଲିକାରେ ଅଧିକାଂଶ ବସିଥିବା ବିଧାୟକଙ୍କୁ ଟିକେଟ ଦିଆଯାଇଛି। ଗାନ୍ଧରରୁ ଅଙ୍କୁର ମଙ୍ଗଲାନୀଙ୍କୁ ଟିକେଟ ଦିଆଯାଇଥିବା ବେଳେ ଯୋଗୀନ୍ଦର ସିଂ ଆୱାନା ନାଡବାଇରୁ ଟିକେଟ ପାଇଛନ୍ତି। ବୁଣ୍ଡିରୁ ହରିମୋହନ, ରାଇସିଂହ ନାଗରରୁ ସୋହାନଲାଲ ଜାଟଭ, ମାକ୍ରାନାରୁ ଜାକିର ହୁସେନ, ଜୟନ୍ତରରୁ ସୁରେନ୍ଦ୍ର ଗୋୟଲ, ପାଲିରୁ ଭୀମରାଜ ଭାଟିଙ୍କୁ ଟିକେଟ ମିଳିଛି। ସେହିଭଳି ମନଭେନ୍ଦ୍ର ସିଂଙ୍କୁ ସିୱାନା ଏବଂ କିଶାନଗଡରୁ ବିକାଶ ଚୌଧୁରୀ ରହିଛନ୍ତି।
ସୂଚନାଯୋଗ୍ୟ, ରାଜସ୍ଥାନ ବିଧାନସଭାର ୨୦୦ ଟି ସିଟ ଉପରେ ଭୋଟ ୨୫ ନଭେମ୍ବରରେ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଡିସେମ୍ବର ୩ ରେ ଭୋଟ ଗଣନା ହେବ ଏବଂ ଫଳାଫଳ ମଧ୍ୟ ସେହି ଦିନ ଘୋଷଣା କରାଯିବ। ଅକ୍ଟୋବର ୩୦ ରୁ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି। ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ୬ ନଭେମ୍ବର ଏବଂ ନାମାଙ୍କନ ପ୍ରତ୍ୟାହାର ସମୟ ୯ ନଭେମ୍ବର ପର୍ଯ୍ୟନ୍ତ ରହିଛି।
Share