Categories: ଜାତୀୟ

ପିଲାମାନେ ଅନ୍‌ଲାଇନରେ କ’ଣ କରୁଛନ୍ତି ଜାଣିବା ପାଇଁ ଏମିତି ନିଷ୍ପତ୍ତି ନେଲା ରାଜସ୍ଥାନ

ଜୟପୁର,୧୯।୯: ପିଲାମାନଙ୍କ ମଧ୍ୟରେ ଅନ୍‌ଲାଇନ ଗେମ୍‌ ନିଶା ବଢ଼ୁଥିବା ଚିନ୍ତାର କାରଣ ପାଲଟିଛି। ଏଭଳି ନିଶାରୁ ପିଲାମାନଙ୍କୁ ସୁରକ୍ଷା ଦେବା ଲାଗି ରାଜସ୍ଥାନ ସରକାର ମାତାପିତା ଓ ଶିକ୍ଷକମାନଙ୍କ ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ରାଜ୍ୟର ସ୍କୁଲ୍‌ ଶିକ୍ଷା ପରିଷଦ ପକ୍ଷରୁ ଜାରି ଆଡଭାଇଜରି ଅନୁଯାୟୀ ପିଲାଙ୍କଠାରେ କୌଣସି ଅସ୍ବାଭାବିକ ହାବଭାବ ଦେଖିଲେ, ମାତାପିତା ଓ ଶିକ୍ଷକ ସେମାନଙ୍କ ଉପରେ ନଜର ରଖିବେ। ପିଲା ଅନ୍‌ଲାଇନରେ ବିଶେଷ କରି ସୋସିଆଲ ମିଡିଆରେ ଅଧିକ ସମୟ ଅତିବାହିତ କରୁଛି କି ନାହିଁ ତାହା ଉପରେ ଧ୍ୟାନ ଦେବାକୁ ହେବ। ଏଥିପାଇଁ ଘରେ ଇଣ୍ଟରନେଟ ଗେଟ୍‌ଓ୍ବେ ସ୍ଥାପନ କରିବାକୁ ପ୍ରସ୍ତାବ ଦିଆଯାଇଛି, ଯାହା ପିଲାମାନଙ୍କ ଇଣ୍ଟରନେଟ ବ୍ୟବହାର ଉପରେ ନଜର ରଖିବାରେ ସହାୟକ ହେବ। ପିଲାମାନେ କମ୍ପ୍ୟୁଟରରୁ ଇଣ୍ଟରନେଟ ବ୍ୟବହାର କରିବା ଉଚିତ ଏବଂ ଏହାକୁ ପରିବାରର ସମସ୍ତେ କାରବାର ହେଉଥିବା ସ୍ଥାନରେ ରଖାଯିବାକୁ ପରାମର୍ଶ ଦିଆଯାଇଛି। ପ୍ରଯୁକ୍ତି ଯୁଗରେ ଅନ୍‌ଲାଇନ ଗେମ୍‌ ପିଲାଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ ହୋଇଛି। ମହାମାରୀ ଯୋଗୁ ସ୍କୁଲ ବନ୍ଦ ରହିଥିବାରୁ ପିଲାଙ୍କ ମଧ୍ୟରେ ମୋବାଇଲ ଫୋନ୍‌ ଓ ଇଣ୍ଟରନେଟ ବ୍ୟବହାର ବଢ଼ିଛି। ଫଳରେ ସେମାନଙ୍କର ଅନ୍‌ଲାଇନ ଗେମ୍‌ ପ୍ରତି ଆଗ୍ରହ ଯଥେଷ୍ଟ ବଢ଼ିଥିବା କାଉନସିଲ୍‌ର ଉପକମିଶନର ସାନା ସିଦ୍ଦିକି କହିଛନ୍ତି।

Share