କୃଷ୍ଣସାର ମୃଗ ଶିକାର ମାମଲା: ସଲ୍‌ମାନଙ୍କୁ ଆଶ୍ୱସ୍ତି

ଯୋଧପୁର,୨୧।୩: ବଲିଉଡ୍‌ ଅଭିନେତା ସଲ୍‌ମାନ ଖାନ୍‌ଙ୍କ କୃଷ୍ଣସାର ମୃଗ ଶିକାର ମାମଲାରେ ରାଜସ୍ଥାନ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସୋମବାର ହାଇକୋର୍ଟର ଯୋଧପୁର ବେଞ୍ଚ ସଲ୍‌ମାନଙ୍କ ମାମଲା ସ୍ଥାନାନ୍ତର ଆବେଦନର ଶୁଣାଣି କରିଛନ୍ତି। ବର୍ତ୍ତମାନ ସଲମାନଙ୍କ ସହ ଜଡ଼ିତ ସମସ୍ତ ଆବେଦନ ଏବେ ରାଜସ୍ଥାନ ହାଇକୋର୍ଟକୁ ସ୍ଥାନାନ୍ତର କରିବା ଲାଗି ଅନୁମତି ମିଳିଛି। ଫଳରେ ୧୯୯୮ର ଏହି ମାମଲାରେ ଅଭିନେତାଙ୍କୁ ଆଶ୍ୱସ୍ତି ମିଳିଛି। ଏଣିକି ମାମଲା ସମ୍ପର୍କିତ ସମସ୍ତ ଆବେଦନର ଶୁଣାଣି ହାଇକୋର୍ଟରେ ହେବ। ସୂଚନାଯୋଗ୍ୟ, ୧୯୯୮ରେ ‘ହମ୍‌ ସାଥ୍‌ ସାଥ୍‌ ହୈ’ ଚଳଚ୍ଚିତ୍ର ଶୁଟିଂ ପାଇଁ ସଲ୍‌ମାନ ଖାନ୍‌ଙ୍କ ସହ ସୈଫ ଅଲି ଖାନ୍‌, ସୋନାଲି ବେନ୍ଦ୍ରେ, ନୀଲମ ଓ ତବୁ ରାଜସ୍ଥାନ ଯାଇଥିବା ବେଳେ କଙ୍କଣିଠାରେ ଦୁଇଟି କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗ ହୋଇଥିଲା। ସଲମାନଙ୍କ ବିରୋଧରେ ଭାରତୀୟ ବନ୍ୟପ୍ରାଣୀ ଆଇନର ଧାରା ୯/୫୧ ଏବଂ ଅସ୍ତ୍ରଶସ୍ତ୍ର ଆଇନର ଧାରା ୩/୨୫ ଏବଂ ୩/୨୭ରେ ମାମଲା ରୁଜୁ ହୋଇଥିଲା। ୨୦୧୮େରେ ଯୋଧପୁର କୋର୍ଟ ତାଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ୫ ବର୍ଷ ଜେଲଦଣ୍ଡାଦେଶ ଦେଇଥିଲେ। ଏହାପରେ ତାଙ୍କୁ ଜାମିନ ମିଳିଥିଲା।

 

Share