ବିବାହରେ ସାମିଲ ହୋଇଥିବା ୯୫ଜଣ ବ୍ୟକ୍ତି ସଂକ୍ରମିତ: କରେନାରେ ଚାଲିଗଲା କନ୍ୟା ପିତାଙ୍କ ଜୀବନ

ଜୟପୁର,୨୧।୫: ରାଜସ୍ଥାନ ସମେତ ଦେଶର ବିଭିନ୍ନ ରାଜ୍ୟରେ କରୋନା ସ୍ଥିତି ବେକାବୁ ହେବାରେ ଲାଗିଛି। ଏହି ମହାମାରୀ ମଧ୍ୟରେ ଦେଶରେ ଏଭଳି ଅନେକ ଜନସଂଖ୍ୟା ଅଛନ୍ତି ଯେଉଁମାନେ ଗାଁରେ ରହୁଛନ୍ତି। ଆଉ ସେମାନେ ଏବେ ବି ଅସଚେତନ ଥିବା ବେଳେ ତାଙ୍କ ପାଖରେ ଏଯାଏଁ ଭଲ ସ୍ବାସ୍ଥ୍ୟସେବା ପହଞ୍ଚିପାରିନାହିଁ। ଏଭଳି ସ୍ଥିତିରେ ରାଜସ୍ଥାନର ଏକ ଗାଁରେ ଗୋଟିଏ ଦିନରେ ୯୫ଜଣ ବ୍ୟକ୍ତି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ଗାଁରେ ଭୟର ବାତାବରଣ ଖେଳିଯାଇଛି। ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ରାଜସ୍ଥାନ ଝୁନଝୁନ ଜିଲାର ସ୍ୟାଲୁ କଲା ଗାଁରେ ୩ଟି ବିବାହ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାର ବିବାହରେ ୧୧ଜଣ ବ୍ୟକ୍ତିଙ୍କୁ ସାମିଲ ହେବା ପାଇଁ ଅନୁମତି ଦେଇଥିବା ବେଳେ ଏହାର ଉଲ୍ଲଂଘନ କଲେ ୧ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ଘୋଷଣା କରିଥିଲେ। ହେଲେ ସରକାରଙ୍କ ଏହି ନିୟମକୁ ଗାଁଲୋକେ ଉଲ୍ଲଂଘନ କରିବା ସହ ଅନ୍ୟମାନଙ୍କୁ ବିପଦରେ ପକାଇଛନ୍ତି। ଏପ୍ରିଲ ୨୫ରେ ଗାଁରେ ଆୟୋଜିତ ହୋଇଥିବା ୩ଟି ବିବାହରେ ପ୍ରାୟ ୧୫୦ଲୋକ ସାମିଲ ହୋଇଥିଲେ। ସେମାନଙ୍କ କରୋନା ଯାଞ୍ଚ କରାଯାଇଥିବା ବେଳେ ସେଥିରୁ ୯୫ଜଣ ବ୍ୟକ୍ତି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କେବଳ ସେତିକି ନୁହେଁ ବିବାହ ସମୟରେ କରୋନାରେ କନ୍ୟା ପିତାଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ଆଖପାଖ ଗାଁର ଲୋକେ ଏବେ ଭୟଭୀତ ଅବସ୍ଥାରେ ଥିବା ବେଳେ ଆବଶ୍ୟକ ନ ଥିଲେ ଘରୁ ବାହାରକୁ ବାହାରୁ ନ ଥିବା ଜଣାପଡ଼ିଛି। ଅନ୍ୟପଟେ ଗାଁଲୋକଙ୍କ ଅସଚେତନ ଅଭାବରୁ ସଂକ୍ରମଣ ବଢ଼ୁଛି ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।

Share