ଶ୍ଲୋକ ପଢି ବାପ-ପୁଅଙ୍କ ମଧ୍ୟରେ ଆପୋଷ ବୁଝାମଣା କଲେ ଜଜ୍‌: ତା’ପରେ ଘଟିଲା ଏମିତି

ଯୋଧପୁର,୧୧।୭:ରାଜସ୍ଥାନର ଯୋଧପୁରରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ବାପ-ପୁଅଙ୍କ ମଧ୍ୟରେ ଚାଲିଥିତ୍ବା ଝଗଡାକୁ ସମାଧାନ କରିବା ପାଇଁ ଜଜ୍‌ ଆଇନ୍‌ର ନୁହେଁ ବରଂ ସଂସ୍କୃତ ଶ୍ଲୋକର ସାହାରା ନେଇଛନ୍ତି। ଏହି ନିଆରା ଢଙ୍ଗରେ ସମସ୍ୟା ସମାଧାନ କରିବାରେ ସଫଳ ହୋଇଛନ୍ତି। ରାଷ୍ଟ୍ରିୟ ଲୋକ ଅଦାଲତରେ ଜଣେ ପୁଅ ବାପାଙ୍କ ବିରୋଧରେ ସମ୍ପତ୍ତି ପାଇଁ ଏକ ଅଭିଯୋଗ କରିଥିଲେ। ବାପା ମଧ୍ୟ ପୁଅ ବିରୋଧରେ ଅଭିଯୋଗ ଆଣି କହିଥିଲେ, ପୁଅ ମୋର ଦେଖାଶୁଣା କରୁନାହିଁ। ଯୋଧପୁର ଜିଲା ଏବଂ ସେଶନ ନ୍ୟାୟାଧୀଶ ରାଘବେନ୍ଦ୍ର କାଛଓ୍ବାଲ ମାମଲାର ଶୁଣାଣି କରି ଏକ ସଂସ୍କୃତ ଶ୍ଲୋକ ପଢିଥିଲେ ସେ କହିଥିଲେ, ପିତା ଧର୍ମଃ ପିତା ସ୍ବର୍ଗଃ, ପିତା ହି ପରମଂ ତପଃ। ପିତରି ପ୍ରିତିମାପନ୍ନେ ପ୍ରିୟନ୍ତେ ସର୍ବେଦେବତାଃ। ଏହାପରେ ସେ ବାପ-ପୁଅଙ୍କୁ ଶ୍ଲୋକର ଅର୍ଥ ବୁଝାଇ କହିଥିଲେ, ପିତା ଧର୍ମ, ପିତା ସ୍ବର୍ଗ ଏବଂ ପିତା ହଁି ସର୍ବଶ୍ରେଷ୍ଠ ତପସ୍ୟା। ପିତା ପ୍ରସନ୍ନ ହେବାମାତ୍ରେ ସବୁ ଦେବତା ମଧ୍ୟ ଆପେ ଆପେ ପ୍ରସନ୍ନ ହୋଇଯାନ୍ତି। ରାଘବେନ୍ଦ୍ରଙ୍କଠାରୁ ଏହାର ଅର୍ଥ ବୁଝିବା ପରେ ଉଭୟ ବାପ-ପୁଅଙ୍କ ଆଖିରେ ଲୁହ ଆସିଯାଇଥିଲା ଏବଂ ଦୁହେଁ ମାମଲାକୁ ଆଗକୁ ଜାରି ରଖିବା ପରିବର୍ତ୍ତେ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ହୋଇଥିଲା।

Share